ବିଜେପି ଶାସିତ ରାଜ୍ୟ ଗୁଡିକରେ ଇଣ୍ଟରନେଟ ସଟଡାଉନ୍ ୨୫୦ ପ୍ରତିଶତ ଅଧିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୦ ଭାରତରେ ୧୧୫ ଥର ଇଣ୍ଟରନେଟ୍ ଶଟଡାଉନ୍ ହୋଇଛି , ଯାହାକି ବିଶ୍ବର ଅନ୍ୟ ଦେଶ ଗୁଡିକ ତୁଳନାରେ ସର୍ବାଧିକ। ତେବେ ଉଲ୍ଲେଖନୀୟ କଥା ହେଉଛି ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍ ଶଟଡାଉନ୍ ହୋଇଥିବା ଦେଶ ହେଉଛି ୟମନ ଯେଉଁଠାରେ  ମାତ୍ର ପାଞ୍ଚ ଥର ଇଣ୍ଟରନେଟ ଶଟଡାଉନ ହୋଇଛି। ତେବେ ଇଣ୍ଟରନେଟ ଶଟଡାଉନ ସମସ୍ୟା ସମଗ୍ର ଭାରତରେ ନୁହେଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏକ ଷ୍ଟଡି ଅନୁଯାୟୀ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟଗୁଡିକରେ ଇଣ୍ଟରନେଟ୍ ଶଟଡାଉନ ହେବାର ସମ୍ଭାବନା ଅଣ-ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ୨୫୦ ପ୍ରତିଶତରୁ ଅଧିକ । ଏବଂ ଏହି ସମ୍ଭାବନା ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି । ୨୦୧୨ ରୁ ୨୦୨୦ ମସିହାର ପ୍ରଥମ କ୍ବର୍ଟର ମଧ୍ୟରେ ନିଆଯାଇଥିବା ତଥ୍ୟର ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଆମଷ୍ଟରଡାମ୍ ବିଶ୍ୱବିଦ୍ୟାଳୟର ରାଜନୈତିକ ବୈଜ୍ଞାନିକ କ୍ରିସ୍ ରୁଜିଗ୍ରୋକ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ରୁଜିଗ୍ରୋକ ଆମେରିକାର ଏକ ଅଣଲାଭକାରୀ ସଂସ୍ଥା ଓପନ୍ ଟେକ୍ନୋଲୋଜି ଫଣ୍ଡ୍ ସହିତ ଏକ ସୂଚନା ନିୟନ୍ତ୍ରଣ ଫେଲୋ ଭାବରେ ଏହି ଅଧ୍ୟୟନ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି “ ବିଶ୍ୱ ଇଣ୍ଟରନେଟ୍ ସ୍ୱାଧୀନତା ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ କରିବା”। ଏହି ଅଧ୍ୟୟନରୁ ଜଣାପଡିଛି ଯେ କୌଣସି ଏକ ନିର୍ଦ୍ଦିଷ୍ଟ ମାସରେ ବିଜେପି ଦ୍ୱାରା ପରିଚାଳିତ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ହେବାର ସମ୍ଭାବନା ୩ % ରହିଛି।  ଅପରପକ୍ଷେ, ଅଣ-ବିଜେପି ଶାସିତ ଜିଲ୍ଲାରେ ଏହାର ସମ୍ଭାବନା ହେଉଛି ୦.୮ %। ଅଧିକାଂଶ ସମୟରେ ଇଣ୍ଟରନେଟ୍ ବନ୍ଦ ହେଉଥିବା ଜାମ୍ମୁ କାଶ୍ମୀରକୁ ବାଦ ଦେଲେ ବିଜେପି ପରିଚାଳିତ ଜିଲ୍ଲା ପାଇଁ ଇଣ୍ଟରନେଟ ସଟଡାଉନ୍ ସମ୍ଭାବନାକୁ ୧.୭ % ହୋଇଥିବା ବେଳେ ଅଣ-ବିଜେପି ଶାସିତ ଜିଲ୍ଲା ଗୁଡ଼ିକରେ ଏହାର ସମ୍ଭାବନା ହେଉଛି ୦.୪% ।

ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ଦକ୍ଷିଣ ଭାରତର ରାଜ୍ୟ ଗୁଡ଼ିକରେ ଯେଉଁଠାରେ ବିଜେପିର ପ୍ରଭାବ ବହୁତ୍ କମ୍ ସେଠାରେ କ୍ବଚିତ ଇଣ୍ଟରନେଟ ସଟଡାଉନ୍ ହୋଇଥାଏ । କିନ୍ତୁ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହାର ସମ୍ଭାବନା ଯଥେଷ୍ଟ ଅଧିକ । ଅଣ-ବିଜେପି ଶାସିତ ରାଜ୍ୟଗୁଡିକରେ ଇଣ୍ଟରନେଟ ସଟଡାଉନ୍ ଯୋଗୁଁ ପ୍ରଭାବିତ ହେଉଥିବା ହାରାହାରି ଜିଲ୍ଲା ସଂଖ୍ୟା ୨.୭ ଅଟେ । ସେହିପରି ବିଜେପି ଶାସିତ ରାଜ୍ୟଗୁଡିକରେ ପ୍ରଭାବିତ ହେଉଥିବା ହାରାହାରି ଜିଲ୍ଲା ସଂଖ୍ୟା ୯.୬ ଯାହାକି ସାଢେ ତିନି ଗୁଣ ଅଧିକ । ତେବେ ଜମ୍ମୁ ଓ କଶ୍ମୀରକୁ ଏଥିରୁ ବାଦ୍ ଦେଲା ପରେ ମଧ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଇଣ୍ଟରନେଟ ସଟଡାଉନ୍ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଅଣ ବିଜେପି ଏବଂ ବିଜେପି ଶାସିତ ରାଜ୍ୟ ଜିଲ୍ଲାରେ ଏହାର ସମ୍ଭାବନା ଯଥାକ୍ରମେ ୧.୩୭ ଓ ୫.୦୬ । ଏପରିକି ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଇଣ୍ଟରନେଟ ସଟଡାଉନ ହେବାର ତୀବ୍ରତା ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ଅଣ-ବିଜେପି ଶାସିତ ରାଜ୍ୟଗୁଡିକରେ ଗୋଟିଏ ମାସ ପାଇଁ ଇଣ୍ଟରନେଟ୍ ସଟଡାଉନ୍ ହୋଇଥିବା ଜିଲ୍ଲା ସଂଖ୍ୟା ସର୍ବାଧିକ ୨୨ । ଅଗଷ୍ଟ 2013, ଅଗଷ୍ଟ 2017 ଏବଂ ଏପ୍ରିଲ୍ 2018 ଏଭଳି ଦେଖିବାକୁ ମିଳିଥିଲା । ଅଗଷ୍ଟ 2013 ରେ ଜାମ୍ମୁ କାଶ୍ମୀରର କିଶ୍ଟୱାର ଜିଲ୍ଲାରେ ହିନ୍ଦୁ-ମୁସଲମାନ ଦଙ୍ଗା ସମୟରେ ଇଣ୍ଟରନେଟ ସଟଡାଉନ୍ ହୋଇଥିଲା। ଅଗଷ୍ଟ 2017 ପଞ୍ଜାବରେ ଗୁରୁ ରାମରହୀମ ରାୟ ଆସିବା ପରେ ଇଣ୍ଟରନେଟ ସଟଡାଉନ୍ ହୋଇଥିଲା। ସେହିପରି ରିପୋର୍ଟ ଅନୁଯାୟୀ ଏପ୍ରିଲ୍ 2018 ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ହିନ୍ଦୁ ଓ ଦଳିତଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଇଣ୍ଟରନେଟ ସଟଡାଉନ୍ ହୋଇଥିଲା। ଅନ୍ୟପକ୍ଷରେ, ବିଜେପି ଶାସିତ ରାଜ୍ୟମାନଙ୍କରେ ଏହା ୬ ମାସ ଥିଲା ଯେତେବେଳେ ସମାନ ଅବଧିରେ ୪୦ ରୁ ଅଧିକ ଜିଲ୍ଲାରେ ଇଣ୍ଟରନେଟ ସଟଡାଉନ୍ ହୋଇଥିଲା । ଡିସେମ୍ବର ୨୦୧୯ ରେ ସର୍ବାଧିକ ସଂଖ୍ୟା ଥିଲା, ଯେତେବେଳେ ୭୬ ଟି ଜିଲ୍ଲାରେ ଇଣ୍ଟରନେଟ ସଟଡାଉନ୍ କରାଯାଇଥିଲା। କାରଣ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜୋର ଧରିଥିଲା। ଏହି ୭୬ ଟି ଜିଲ୍ଲା ମଧ୍ୟରୁ ଜମ୍ମୁ-କଶ୍ମୀରର ୧୦ ଟି ଜିଲ୍ଲା ଥିଲା। 

Related Posts