ପୁରୀରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି; ସରକାରଙ୍କର କିନ୍ତୁ ଚେତା ପଶୁନି

ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ):  ପୁରୀ ସହରରେ ବ୍ୟାପିଲାଣି ଝାଡ଼ାବାନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଏବେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରଙ୍କର କିନ୍ତୁ ଏଯାଏଁ ଚେତା ପଶୁନି। ଅଞ୍ଚଳବାସୀ ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ କରୁଥିବା ବେଳେ ୱାଟ୍‌କୋ ପକ୍ଷରୁ ଯାଞ୍ଚ କରିବା ପରିବର୍ତ୍ତେ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଏପର୍ଯ୍ୟନ୍ତ ଦୁଇଜଣ ମୃତ୍ୟୁବରଣ ମଧ୍ୟ କଲେଣି। ସେମାନେ ହେଲେ ଦାମୋଦର ପଣ୍ଡା ଓ ପୂର୍ଣ୍ଣବାସୀ ମଠର ଜଣେ ମାତା । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଆଉ କିଛି ଗୁରୁତର ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାନୀୟ ଜଳ ପାଇଁ ଘରକୁ ସଂଯୋଗ ହୋଇଥିବା ପାଇପ୍‌ ନଳା ମଧ୍ୟରେ ବିଛାଯାଇଛି। ତେଣୁ ପାଇପ କେଉଁଠାରେ ଫାଟି ନଳା ପାଣି ପାଇପରେ ମିଶୁଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ବାସିନ୍ଦାମାନେ ଗତ ୨୨ ତାରିଖରେ ୱାଟ୍‌କୋକୁ ଯାଞ୍ଚ ପାଇଁ ଦାବି କରିଥିଲେ ମଧ୍ୟ ୱାଟ୍‌କୋ ଏହାକୁ ଅଣଦେଖା କରିଛି। ପୁରୀ ସହରରେ ଝାଡ଼ାବାନ୍ତି ଧୀରେଧୀରେ ମହାମାରୀର ରୂପ ନେଉଥିବା ବେଳେ ସରକାରଙ୍କ ନିଦ କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା।

Related Posts