(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ୟୁପି ବ୍ଲକ ପଞ୍ଚାୟତ ମତଦାନ ସମୟରେ ଉନ୍ନାଓରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ମୋବାଇଲ୍ ଫୋନ୍ ଭାଙ୍ଗି ଦେଇ ବିବାଦ ଘେରକୁ ଆସିଛନ୍ତି ଆଇଏଏସ୍ ଅଧିକାରୀ ଦିବ୍ୟସୁ ପଟେଲ। ତେବେ ଏହି ଆଇଏଏସ୍ ଅଧିକାରୀ ବିବାଦ ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ। ଗତ ମେ ମାସରେ ବାରବାଙ୍କିରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ଥିବା ସମୟରେ 2017-ବ୍ୟାଚ୍ ର ଏହି ବିବାଦୀୟ ଆଇଏଏସ୍ ଅଫିସର ସହରରେ ଥିବା ଏକ ମସଜିଦକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉତ୍ତରପ୍ରଦେଶର ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡର ସମ୍ପତ୍ତି ହୋଇଥିବାରୁ ଏହି ମସଜିଦ ଭାଙ୍ଗିବା ଆଇନ ବିରୋଧୀ ବୋଲି କହିଥିଲେ। ବର୍ତ୍ତମାନ ଏହି ଆଇଏଏସ୍ ଅଧିକାରୀଙ୍କୁ ଉନ୍ନାଓରେ ମୁଖ୍ୟ ବିକାଶ ଅଧିକାରୀ (ସିଡିଏ) ଭାବରେ ଦାୟିତ୍ୱ ଦିଆଯାଇଛି ।
ଏହି ରିପୋର୍ଟ ଉପରେ “ଦ ପ୍ରିଣ୍ଟ” ପକ୍ଷରୁ ପଟେଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ପର୍କ ହୋଇ ପାରି ନାହିଁ। ଉନ୍ନାଓ ପୋଲିସ୍ ଅଧୀକ୍ଷକ ଏସ୍ କୁଲକର୍ଣ୍ଣିଙ୍କ ସହ ମଧ୍ୟ ସମ୍ପର୍କ ହୋଇପାରି ନାହିଁ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସୂଚନା) ନବନେତ୍ ସେହଗାଲ କିନ୍ତୁ ଦି ପ୍ରିଣ୍ଟକୁ କହିଛନ୍ତି ଯେ ସରକାର ଏହି ଘଟଣାରେ ରିପୋର୍ଟ ମାଗିଛନ୍ତି। ସେ କହିଛନ୍ତି ଯେ, “ସରକାର ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେହଗାଲ କହିଛନ୍ତି।
ୟୁପିର ବଳରାମପୁରର ବାସିନ୍ଦା ଦିବ୍ୟସୁ ପଟେଲ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସମାଜବିଜ୍ଞାନରେ ଏମଏ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ MEd କରିଛନ୍ତି। 2012 ରେ, ସେ CRPF ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ ମନୋନୀତ ହୋଇଥିଲେ ମଧ୍ୟ ଯୋଗ ଦେଇନଥିଲେ। ତାଙ୍କ ପିତା ଏ.ପି ଭର୍ମା ବଳରାମପୁରର ସଂସ୍କୃତ ପ୍ରଫେସର। ସରକାରୀ ସୂତ୍ର ThePrint କୁ କହିଛନ୍ତି ଯେ ପଟେଲ ବର୍ତ୍ତମାନ ବିଜେପି ନେତାଙ୍କ ନିକଟତର ହୋଇଥିବା ଦେଖାଯାଉଛି। ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ଆସିଥିବା ଟୁଇଟର ଆକ୍ରମଣ, ଭିଡିଓ ଏବଂ ସ୍କ୍ରିନସଟରୁ ଜଣାପଡିଛି ଯେ ଅଧିକାରୀ ଜଣକ ପୂର୍ବରୁ ଆରଏସଏସ ବିରୋଧୀ ଥିଲେ।
ଦିବ୍ୟସୁ ପଟେଲ ଜେଏନୟୁରେ ପଢୁଥିବା ସମୟରେ ଏକ ଭିଡିଓ ଭାଇରାଲ ହୋଇଛି। NDTV କୁ ଦେଇଥିବା ମିଡିଆ ବାଇଟ୍ ରେ ଶୁଣିବାକୁ ମିଳୁଛି ଯେ ସେ ଜାତିବାଦ ଏବଂ ବ୍ରାହ୍ମଣବାଦକୁ ନିନ୍ଦା କରୁଛନ୍ତି। ବାରବାଙ୍କି ବିବାଦ ପରେ ପଟେଲ ତାଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରିଦେଇଥିଲେ, କିନ୍ତୁ 2019 ରେ ଆଇଏଏସ ଅଧିକାରୀ ଜଣକ ଟ୍ୱିଟ କରି ଜଣାଇଥିଲେ ଯେ ଏକ ସଂଗଠନ (ଆରଏସଏସ) କୁ ଥରେ ବ୍ଯାନ୍ କରାଯାଇଥିଲା। ସେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟର ଜବାବ ଦେଇ ଥିଲେ, ଯେଉଁଥିରେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଉଦ୍ଧେଶ୍ୟରେ କହିଥିଲେ ଯେ କ୍ଷମତାରେ ଯିଏ ବି ରହୁ ନା କାହିଁକି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଏହି ସଙ୍ଘ ଆଗକୁ ବଢିବ।
ପଟେଲ ଆରକ୍ଷଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ପଟେଲ ଜାନୁୟାରୀ 2019 ରେ ଟୁଇଟ୍ କରି ଅଭିଯୋଗ କରିଥିଲେ ଯେ ଇନ୍ଦିରା ସାୱନି ମାମଲାରେ ଆରକ୍ଷଣ ଅର୍ଥନୈତିକ ମାନଦଣ୍ଡ ଆଧାରରେ ହୋଇପାରିବ ନାହିଁ। ଆଇଏଏସ୍ ଅଧିକାରୀ ଟୁଇଟ୍ କରି କହିଥିଲେ ଯେ , “ବିଚରା ମୋଦୀ, ସେ ଏତେ ହତାଶ ହୋଇଛନ୍ତି ଯେ ସେ ଏପରିକି ମୈଳିକ ବିଷୟ ଜାଣି ନାହାଁନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଟେଲ ବିଜେପିର ଓବିସି ନେତା ବିଶେଷ କରି ଜଣେ ବରିଷ୍ଠ ନେତାଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ଏହି କାରଣରୁ ବାରବାଙ୍କି ମସଜିଦ ବିବାଦ ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥିପାଇଁ ତାଙ୍କୁ ଉନ୍ନାଓରେ ସିଡିଏ ପଦବୀ ଦେଇ ପୁରସ୍କୃତ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।
ୟୁପି କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ସୂର୍ଯ୍ୟ ପ୍ରତାପ କହିଛନ୍ତି, “ଏଭଳି ଆଚରଣ ପାଇଁ ମୁଁ ଲଜ୍ଜିତ। ଅତୀତରେ ଦେଶର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଏଭଳି କିଛି ଘଟଣା ଘଟିଥିବାର ସୂଚନା ମିଳିଛି ବୋଲି କହିଛନ୍ତି। LBSNAA (ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍) ବିଳମ୍ବ ହେବା ପୂର୍ବରୁ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାକୁ ପୁଣି ଥରେ ପରିବର୍ତ୍ତନ କରିବା ଆବଶ୍ୟକ। ତାମିଲନାଡୁର ପରିବେଶ ଓ ଜଙ୍ଗଲ ବିଭାଗର ମୁଖ୍ୟ ସଚିବ ତଥା ଦୂରଦର୍ଶନର ପୂର୍ବତନ ମହାନିର୍ଦ୍ଦେଶକ ସୁପ୍ରିୟା ସାହୁ ଟୁଇଟ୍ କରିଛନ୍ତି ଯେ , “ ମିଷ୍ଟର ସି.ଡି.ଓ. ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛି । ଜଣେ ଅଧିକାରୀ ଏଭଳି ବ୍ୟବହାର କରିବା ଉଚିତ୍ ନୁହେଁ ।ଏହି ଘଟଣାଗୁଡ଼ିକ ପ୍ରଶାସନିକ ସେବାକୁ ଲଜ୍ଜିତ କରିଥାଏ ବୋଲି ସେ କହିଛନ୍ତି।”
