(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାର୍ଚ୍ଚ ୨୪, ୨୦୧୫ରେ ସୁପ୍ରିମକୋର୍ଟ ଦ୍ବାରା ଆଇଟି ଆକ୍ଟର ଧାରା ୬୬ଏ ରଦ୍ଦ ହେବା ପରେ ମଧ୍ୟ ଏହାର ବ୍ୟବହାର ହେଉଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏହି ଆକ୍ଟ ଆଧାରରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।“କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ରାଜ୍ୟ ତଥା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ (UT) କୁ ନିଜ ଅଧୀନରେ ଥିବା ସମସ୍ତ ପୋଲିସ ଷ୍ଟେସନକୁ ସୁପ୍ରିମକୋର୍ଟ ନିରସ୍ତ୍ର କରିଥିବା ଏହି ଆଇଟି ଆକ୍ଟର ଧାରା ୬୬ଏ ଆଧାରରେ ମାମଲା ପଞ୍ଜିକରଣ ନକରିବାକୁ ନିର୍ଦ୍ଦେଶ ଦେଇଛି।
ଜୁଲାଇ 5 ରେ, ଏନଜିଓ ପିୟୁସିଏଲ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜଵାବ ତଲବ କରିଥିଲେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ଧାରା ୬୬ଏକୁ ପୁଲିସ ବ୍ୟବହାର କରୁଛି। ପିୟୁସିଏଲ ଏ ବାବଦରେ ଏକ ଆବେଦନ କରିଥିଲେ , ସୁପ୍ରିମକୋର୍ଟ ପ୍ରଥମେ ବିଚାର କରି ଏ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହି ଆକ୍ଟ ଅନୁଯାୟୀ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କୋର୍ଟ ଜବାବ ମାଗିଥିଲେ । ପିୟୁସିଏଲ ପକ୍ଷରୁ କେସ୍ ଲଢୁଥିବା ଓକିଲ ସଞ୍ଜୟ ପାରିଖ କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ସାରା ଦେଶରେ ଏହି ଆକ୍ଟ ଅନୁଯାୟୀ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର ବୋଲି ସେ ନିବେଦନ କରିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଚିନ୍ତାପ୍ରକଟ କରିଥିଲେ। ପରେ କେନ୍ଦ୍ରକୁ ଜବାବ ତଲବ କରିଥିଲେ।
ଏହି ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଥିଲେ, ଯଦିଓ ଧାରା ୬୬ଏ ରଦ୍ଦ ହୋଇଛି। ହେଲେ ଆଇନର ମୂଳ ଧାରରେ ଏ ବାବଦରେ ଉଲ୍ଲେଖ ହୋଇନାହିଁ। ଯେଉଁଠି ଏହି ଆଇନ ବାବଦରେ ଉଲ୍ଲେଖ ରହିଛି ସେଠାରେ ଶେଷରେ ରଦ୍ଦ ହୋଇଛି ବୋଲି ଉଲ୍ଲେଖ ରହିଛି। ତେଣୁ ପୁଲିସ ମାମଲା ରୁଜୁ କରିବା ବେଳେ ବୁଝୁଛି ମୂଳ ଆଇନରେ ଧାରା ୬୬ଏ ରଦ୍ଦ ହୋଇନି। ତେଣୁ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଧାରାକୁ ବ୍ୟବହାର ନକରିବାକୁ କହିଛି।
ଆଇଟି ଆକ୍ଟ-୨୦୦୦ର ଧାରା ୬୬(A) କ’ଣ ?
୨୦୦୮ ମସିହାରେ ଏହି ଆଇନକୁ ସଂଶୋଧନ କରାଯାଇ ୬୬(ଏ)କୁ ସାମିଲ କରାଯାଇଥିଲା ଓ ୨୦୦୯ ଫେବୃୟାରୀ ରୁ ଏହା କାର୍ଯ୍ୟକାରୀ ହୋଇଥିଲା । ଏହି ଅଧିନିୟମ ଅନୁଯାୟୀ ଇଲେକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ଆପତ୍ତିଜନକ ତଥ୍ୟ ପୋଷ୍ଟ କଲେ ସମ୍ପୃକ୍ତ ଦୋଷୀଙ୍କୁ ୩ ବର୍ଷ ଜେଲଦଣ୍ଡ ଅବା ୫ଲକ୍ଷ ଟଙ୍କାର ଜୋରିମାନା ବା ପୁଣି ଉଭୟ ଦଣ୍ଡର ପ୍ରାବଧାନ ରହିଛି।
ଏହି ଆଇନ ଅନୁଯାୟୀ , ଯଦି କୌଣସି ବ୍ୟକ୍ତି ଯଦି କମ୍ପ୍ୟୁଟର ଅବା କମ୍ୟୁନିକେସନ ଡିଭାଇସ ମାଧ୍ୟମରେ କୌଣସି ସୂଚନା ପଠାଯାଇଥାଏ ଯାହା ଆପତ୍ତିଜନକ ଅବା କୌଣସି ମିଥ୍ୟା ସୂଚନା ଇଲେକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ପଠାଯାଇଥିବ , ଯାହାକି କୌଣସି ବ୍ୟକ୍ତିଙ୍କୁ ହଇରାଣ, ଅସୁବିଧାରେ ପକାଇବା, ବିପଦ ସୃଷ୍ଟି କରିବା, ଅପମାନ କରିବା ପାଇଁ ଉଦ୍ଦିଷ୍ଟ ଥାଏ ଏବଂ କୌଣସି ଇଲେକ୍ଟ୍ରୋନିକ ମେଲ୍ ଅବା ମେସେଜ୍ ଯାହା କାହାରିକୁ ଅଯଥାରେ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ ଥିବ ସେଭଳି ବ୍ୟକ୍ତିଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ୨ରୁ ୩ ବର୍ଷ ଜେଲଦଣ୍ଡ ଅବା ଜୋରିମାନା ପ୍ରାବଧାନ ଥିଲା । ତେବେ ସୁପ୍ରିମକୋର୍ଟ ଏହାକୁ ୨୦୧୫ ମାର୍ଚ୍ଚ ମାସରୁ ଅସାମ୍ବିଧାନିକ କହି ଉଚ୍ଛେଦ କରିଥିଲେ ।





