(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୁଣେ ସିଟି ପୋଲିସର ଏକ କଥିତ ଅଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି କଥିତ ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି ଯେ, ଜଣେ ପୋଲିସ ଅଧିକାରୀ ତାଙ୍କ ଅଧିନସ୍ଥ ଜଣେ କର୍ମଚାରୀଙ୍କୁ ମାଗଣାରେ ଥାନା ଅଧିନରେ ଆସୁଥିବା ଏକ ଦୋକାନରୁ ବିରିୟାନି ଆଣିବାକୁ ନିର୍ଦ୍ଦେଶ ଦେଉଛନ୍ତି।
ଅଡିଓ ଭାଇରାଲ ହେବା ପରେ ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ୱାଲ୍ସେ ପାଟିଲ ଶୁକ୍ରବାର ଦିନ ଏହି ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ମୁଁ ଏହି ଅଡିଓ ଶୁଣିଛି। ଏହା ଏକ ଗମ୍ଭୀର ବିଷୟ , ତେଣୁ ପୋଲିସ କମିଶନରଙ୍କୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ରାଜ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଡିଓ କ୍ଲିପ୍ରେ ଥିବା ଅଧିକାରୀ ଜଣକ ଜୋନ୍ -1 ର ଡେପୁଟି କମିଶନର ଅଫ୍ ପୋଲିସ୍ (ଡିସିପି) ପ୍ରିୟଙ୍କା ନରନେଭରେ ବୋଲି ଜଣାପଡିଛି।
ଭାଇରାଲ ଅଡିଓ କ୍ଲିପ୍ ରେ, ଅଧିକାରୀ ପ୍ରଥମେ ତାଙ୍କ ଅଧସ୍ତନ ଜଣେ କର୍ମଚାରୀଙ୍କୁ ପଚାରିଥିଲେ ଯେ ସେଠାରେ କେଉଁ ଜାଗାରେ ନନ୍ ଭେଜ୍ ଖାଦ୍ୟ ବିକ୍ରି ହେଉଛି। ଏହା ପରେ ପୋଲିସ ଅଧିକାରୀଙ୍କୁ କେହି ଜଣେ କହିଥିଲେ ଯେ ସାଦାଶିବ୍ ପେଠ୍ ଠାରେ ଏକ ଜଣାଶୁଣା ରେଷ୍ଟୁରାଣ୍ଟ ଅଛି। ଯେଉଁଠାରେ ଘି ଏବଂ କୋଲହାପୁରୀ ମଟନ୍ ଏବଂ ଚିକେନ୍ ବିରିୟାନି ବିକ୍ରି ହେଉଛି।
ଏହା ଶୁଣିବା ପରେ ପୋଲିସ ଅଧିକାରୀ ବିରିୟାନି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଧିନସ୍ଥ କର୍ମଚାରୀ ଜଣଙ୍କ ଟଙ୍କା ମାଗିବାରୁ ସେ କହିଥିଲେ ଯେ, “… ଟଙ୍କା କାହିଁକି ଦିଆଯିବ ? ଆମ ଥାନା ଅଧିନରେ ଆସୁଥିବା ଦୋକାନକୁ ଟଙ୍କା ଦେବା ଉଚିତ୍ କି? ” ତେବେ ଭାଇରାଲ ଅଡିଓକୁ ନେଇ ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, ଏହାର କୌଣସି ସତ୍ୟତା ନାହିଁ।
