(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଖାଲିସ୍ତାନ ସମର୍ଥକ ଗୁରପତବନ୍ତ ସିଂହ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ରାଜ୍ୟପାଳ ଭି.ପି. ସିଂହ ବାଦନୋରଙ୍କୁ ଧମକ ଦେଇଛନ୍ତି । ତେବେ ଯଦି ସେମାନେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରନ୍ତି ତାହାଲେ ସେମାନେ ନିଜର ରାଜନୈତିକ ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ଗୁରପତବନ୍ତ ସିଂହ ପନ୍ନୁ ଧମକ ଦେଇଛନ୍ତି । ଏହା ସହ ଦେଶରେ ଆମର କୃଷକମାନେ ମରୁଛନ୍ତି । ଏଭଳି ପରିସ୍ଥିତିରେ ପତାକା ଉତ୍ତୋଳନକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ଏପରି ହେବା କିଛି ନୁଆ କଥା ନୁହେଁ କାହିଁକି ନା ଗତକାଲି ଗୁରପତବନ୍ତ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ଧମକ ଦେଇଥିଲେ ।
ତାଙ୍କ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ସମାନ ଧମକ ଦିଆଯାଇଥିଲା । ଏହା ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ ମଧ୍ୟ ଅନେକ ବିଦେଶୀ ନମ୍ବରରୁ କଲି କରି ଧମକ ଦିଆଯାଇଥିଲା । ସରକାର ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବର୍ତ୍ତମାନ ପଞ୍ଜାବରେ ମଧ୍ୟ ଏଭଳି ଧମକ ଦିଆଯାଉଛି। ଏଥିରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ନ କରିବାକୁ ଚେତାବନୀ ଦିଆଯାଇଛି । ଅପରିପକ୍ଷରେ ସାଇବର କ୍ରାଇମ ପୋଲିସ ଷ୍ଟେସନରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବାରୁ ନିଷିଦ୍ଧ ଖଲିସ୍ତାନ ସଙ୍ଗଠନ ଶିଖ ଫର ଜଷ୍ଟିସର ଗୁରପତବନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକୃତ କରାଯାଇଛି ।
ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଅଡିଓ ପ୍ରାୟ ଗୋଟିଏ ମିନିଟର ରହିଥିଲା । ଏହି ଅଡିଓରେ କୁହାଯାଇଛି ଯେତେବେଳେ ପଞ୍ଜାବ ସ୍ୱାଧୀନ ହେବ, ହରିୟାଣା ଏହାର ଅଂଶ ହେବ । କେବଳ ଏତିକି ନୁହେଁ ଅଡିଓରେ କୃଷି ଆଇନକୁ ବିରୋଧ କରୁଥିବା ଲୋକଙ୍କୁ ପାନ୍ନୁ ସମର୍ଥନ କରିଥିଲେ । ଦେଶରେ କୃଷକମାନେ ମରୁଛନ୍ତି ଏଭଳିସ୍ଥିତିରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ଠିକ ନୁହେଁ ବୋଲି କହିଥିଲେ । ଏବଂ ଯଦି ଏପରି ହୁଏ ତାହାଲେ ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଖାଲିସ୍ତାନ ସମର୍ଥକ ଗୁରପତବନ୍ତ ସିଂହ ପନ୍ନୁ କହିଛନ୍ତି ।
ହରିୟାଣା ସରକାର କୃଷକ ବିରୋଧୀ ଏବଂ ଶିଖ ବିରୋଧୀ ବୋଲି ବର୍ଣ୍ଣନା କରାଯାଇଛି। ଏ ସବୁକୁ ଦୃଷ୍ଟିରେ ରଖି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶକୁ ଆସୁଥିବା ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ପୋଲିସ ଏବଂ ସୁରକ୍ଷା ବାହିନୀ ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି।
