(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ଜନ ଆଶୀର୍ବାଦ ଯାତ୍ରାକୁ ଟାର୍ଗେଟ କଲେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରିବାର ଅର୍ଥ ହେଉଛି କରୋନାର ତୃତୀୟ ତରଙ୍ଗକୁ ନିମନ୍ତ୍ରଣ କରିବା । ସଞ୍ଜୟ ରାଉତ କହିଛନ୍ତି ଯେ ବର୍ତ୍ତମାନ ଯେଉଁଭଳି ଭାବେ ଏହି ଯାତ୍ରାରେ ଭିଡ଼ ଦେଖାଯାଉଛି ଏବଂ ବିଜେପି ଶକ୍ତି ପ୍ରଦର୍ଶନ କରୁଛି ଏହାର ଅର୍ଥ ହେଉଛି ତୃତୀୟ ତରଙ୍ଗ ଆସିବ ନିଶ୍ଚିତ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ମହାରାଷ୍ଟ୍ରକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି ବୋଲି ରାଉତ୍ କହିଛନ୍ତି । ରାଉତ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଉଦ୍ଧବ ଠାକରେଙ୍କ ନାମ ମଧ୍ୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛି। ଉଦ୍ଧବ ଠାକରେ ଶ୍ରେଷ୍ଠ ପାଞ୍ଚ ମୁଖ୍ଯମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ ନାମ ମଧ୍ୟ ଅଛ। କିନ୍ତୁ ଶ୍ରେଷ୍ଠ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ନାହାଁନ୍ତି। ରାଉତ କହିଛନ୍ତି ଯେ ଏହାର ଅର୍ଥ ହେଉଛି ଦେଶରେ ବିଜେପିର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି ।
ସଞ୍ଜୟ ରାଉତ କହିଛନ୍ତି ଯେ ଉଦ୍ଧବ ଠାକରେ ସର୍ବଦା ମହାରାଷ୍ଟ୍ରର ରାଜନୀତିକୁ ଦୂରରେ ରଖି କାର୍ଯ୍ୟ କରିଆସୁଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ସେ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ଯେଉଁଭଳି ଭାବେ କୋଭିଡ୍ ପରିଚାଳନା କରିଥିଲେ, ତାହା ପ୍ରଶଂସନୀୟ ଏବଂ ସେଥିପାଇଁ ମହାରାଷ୍ଟ୍ର ଏକ ନମ୍ବର ଅଟେ।ବର୍ତ୍ତମାନ ଧୀରେ ଧୀରେ, ଉଦ୍ଧବ ଠାକରେଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ଏବଂ ଲୋକପ୍ରିୟ ନେତାଙ୍କ ତାଲିକାରେ ସେ ଏକ ନମ୍ବର ସ୍ଥାନରେ ରହିବେ । ଯେହେତୁ ବିଜେପିର ମୁଖ୍ୟମନ୍ତ୍ରୀ ଏହି ତାଲିକାରେ ନାହାଁନ୍ତି, ତେଣୁ ବିଜେପି ନେତା ମାନେ ଏବେ ଏହି ସର୍ଭେ ଉପରେ ପ୍ରଶ୍ନ ଉଠାଇବେ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ଅଗଷ୍ଟ ୧୯ ରୁ ୨୬ ପର୍ଯ୍ୟନ୍ତ ରାଣେ ଜନ ଆଶୀର୍ବାଦ ଯାତ୍ରା ଜରିଆରେ ଶକ୍ତି ପ୍ରଦର୍ଶନ କରିବେ । ଅଗଷ୍ଟ ୧୯ ଏବଂ ୨୦ ରେ, ରାଣେ ମୁମ୍ବାଇରେ ଶକ୍ତି ପ୍ରଦର୍ଶନ କରିବେ ।
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ନାରାୟଣ ରାଣେଙ୍କୁ ଆଗାମୀ ବିଏମସି ନିର୍ବାଚନର ଦାୟିତ୍ୱ ଦିଆଯାଇଛି। ଆସନ୍ତା ବର୍ଷ ମୁମ୍ବାଇରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥି ପାଇଁ ମିଶନ୍ ୧୧୪ ର ସ୍ଲୋଗାନ୍ ଦିଆଯାଇଛି । ଶିବସେନାକୁ ପରାସ୍ତ କରିବାର ଦାୟିତ୍ୱ ରାଣେଙ୍କୁ ଦିଆଯାଇଛି। ସୂଚନାନୁସାରେ, ବିଏମସି ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ୱ ରାଣେଙ୍କ ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ଚାହୁଁଛନ୍ତି। ରାଣେ ତାଙ୍କ ମିଶନରେ କେତେ ସଫଳ ହେବେ ତାହା ସମୟ ସ୍ଥିର କରିବ, କିନ୍ତୁ ଏହା ନିଶ୍ଚିତ ଯେ ଏହି ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ଯାଉଛି ।





