(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଖୁଦୁରୁକୁଣୀ ଓ ଜନ୍ମାଷ୍ଟମୀ ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଯେପରି ଗହଳି ଦେଖିବାକୁ ମିଳିଛି ତାହା ପ୍ରମାଣିତ କରୁଛି ଯେ ପାର୍ବଣଋତୁରେ ଅବ୍ୟାହତ ରହିଲେ କରୋନାର ସମ୍ଭାବ୍ୟ ତୃତୀୟ ଲହର ସାଂଘାତିକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି।

ତେବେ କଟକଣା ଯୋଗୁଁ ରାଜ୍ୟର ପ୍ରାୟ ଅଧିକାଂଶ ମନ୍ଦିର ବନ୍ଦ ଥିବା ସତ୍ତ୍ବେ ଶହ ଶହ ଲୋକ ଜନ୍ମାଷ୍ଟମୀ ଅବସରରେ ଅନେକ ମନ୍ଦିରରେ ଭିଡ ଜମାଇଥିଲେ । ଜନ୍ମାଷ୍ଟମୀ ଭୋଗ ଓ ପୂଜା ସାମଗ୍ରୀ ସଂଗ୍ରହ ଲାଗି ବି ମାର୍କେଟରେ ଭିଡ ଲକ୍ଷ୍ୟ କରାଯାଉଛି । ରବିବାର ଖୁଦୁରୁକୁଣୀ ଓଷା ପଡିଥିବାବେଳେ ଶୁକ୍ରବାର ପୂର୍ବରୁ ଏହି ଓଷା ପାଇଁ ସାମଗ୍ରୀ ସଂଗ୍ରହ ଲାଗି ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି ।

ତେବେ ଆଗକୁ ଗଣେଶ ପୂଜା, ବିଶ୍ୱକର୍ମପୂଜା, ଦୁର୍ଗାପୂଜା , ଦୀପାବଳୀ ଆଦି ଆସୁଛି । ବର୍ତ୍ତମାନ ଭଳି ସ୍ଥିତି ଯଦି ଜାରି ରୁହେ ତେବେ ପୂଜାପାର୍ବଣ ସମୟରେ ଭିଡ ଅଧିକ ବଢିପାରେ । ତେବେ ପାର୍ବଣ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କୋଭିଡ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ପୂର୍ବବର୍ଷମାନଙ୍କ ଭଳି ପୂଜାମଣ୍ଡପରେ ସୀମିତ ଉଚ୍ଚତାର ମୂର୍ତ୍ତି ସ୍ଥାପନ ସହିତ ବିନା ଭକ୍ତରେ ପାର୍ବଣଋତୁ ସାରିବାପାଇଁ କୁହାଯାଇଛି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓନାମ ପୂର୍ବ ପରେ ପରେ କେରଳରେ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ଜାନୁୟାରୀ ୩୦ତାରିଖରେ ଭାରତର ପ୍ରଥମ କରୋନା ସଂକ୍ରମିତ କେରଳରେ ଚିହ୍ନିତ ହୋଇଥିବାବେଳେ ଓଡିଶାର ପ୍ରଥମ କରୋନା ସଂକ୍ରମିତ ଭୁବନେଶ୍ୱରରେ ସେହିବର୍ଷ ମାର୍ଚ୍ଚ ୧୫ତାରିଖରେ ଦେଖା ଦେଇଥିଲେ । କିନ୍ତୁ ବ୍ୟାପକ କଟକଣା ସତ୍ୱେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ବ୍ୟାପକ ସଂଖ୍ୟକ ଲୋକ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି।

ବିଶେଷଜ୍ଞମାନେ କହୁଛନ୍ତି ଯେ ପୂର୍ବ ଅନୁଭବକୁ ଦୃଷ୍ଟିରେ ରଖି ଏବେ ଠାରୁ ସତର୍କ ନହେଲେ ସ୍ଥିତି ଭୟାନକ ହେବ । ଅନ୍ୟ ପକ୍ଷରେ ଏବେ ଶିକ୍ଷାନୁଷ୍ଠାନମାନ ଖୋଲୁଥିବା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣେଶପୂଜା ପାଇଁ ଆଗ୍ରହ ବୃଦ୍ଧି ପାଉଛି । ଏହାକୁ ନରୋକିଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ଅନେକ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ସାଧାରଣତଃ ଭାଦ୍ରବରୁ କାର୍ତ୍ତିକମାସ ପର୍ଯ୍ୟନ୍ତ ରାଜ୍ୟରେ ପାର୍ବଣଋତୁ ଲାଗି ରହିଥାଏ । ଗତବର୍ଷ ଠାରୁ କରୋନା ଯୋଗୁଁ ପୂଜା ପାର୍ବଣ ବ୍ୟାହତ ହୋଇଥିବାବେଳେ ମେଳା ମହୋତ୍ସବ ବନ୍ଦ ରହୁଛି । ଏବେ ଓଡିଶାରେ କରୋନା ସଂକ୍ରମଣ କମିଥିବା ଓ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପରିପ୍ରେକ୍ଷୀରେ ପୁଣି ସାମାଜିକ ଓ ଧାର୍ମିକ ଉତ୍ସବାନୁଷ୍ଠାନରେ ଭୋଜିଭାତର ଆସର ବଢିବାରେ ଲାଗିଛି । ତେବେ ବିବାହ, ବ୍ରତୋବନୟନ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟର ଭୋଜିଭାତ ଉପରେ କଟକଣା ରହିଥିଲେ ମଧ୍ୟ ଏହାକୁ କଡା କଡି ପାଳନ କରାଯାଉ ନାହିଁ।