ଶିଶୁ ଅପରାଧ କ୍ଷେତ୍ରରେ ଦଣ୍ଡ ହାର ବହୁତ କମ୍‍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ବହୁତ କମ୍। ସେମାନଙ୍କ ବିରୋଧରେ ଆସୁଥିବା ମାମଲା ଗୁଡ଼ିକର ଫଏସଲା ହେବାକୁ ମଧ୍ୟ ବର୍ଷ ବର୍ଷ ସମୟ ଲାଗିଯାଉଛି । ଏହା ଯୋଗୁ ଶିଶୁ ଅଧିକାର ସୁରକ୍ଷା ଓ ନିରାପତ୍ତା ପାଇଁ ସରକାର ଯେତେ କଡା ଆଇନ୍‍ ପ୍ରଣୟନ କଲେ ମଧ୍ୟ ଶିଶୁଙ୍କ ପ୍ରତି ନିର୍ଯ୍ୟାତନା ହାର ହ୍ରାସ ପାଇ ପାରୁ ନାହିଁ। ସରକାରୀ ସ୍ତରରେ ଦିଆଯାଉଥିବା ସ୍ଲୋଗାନ ‘ଶିଶୁ ହସିଲେ ଦେଶ ହସିବ’ ଏବେ ଧର୍ମକୁ ଆଖିଠାର ସଦୃଶ ହୋଇଯାଇଛି। ନିକଟରେ ପ୍ରକାଶ ପାଇଥିବା ଏନ୍‍ସିଆରବି ରିପୋର୍ଟ ଏହାର ଏକ ଉଦାହରଣ। ରିପୋର୍ଟ ଅନୁଯାୟୀ, ଗତବର୍ଷ ଶେଷସୁଦ୍ଧା ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୪,୧୬,୪୧୩ ମାମଲା ସମଗ୍ର ଦେଶରେ ବିଚାରଧାନ ରହିଥିବା ବେଳେ ଓଡିଶାରେ ଏଭଳି ମାମଲା ସଂଖ୍ୟା ୧୫,୨୨୮ ଥିଲା । ଚଳିତବର୍ଷର ଶିଶୁ ନିର୍ଯ୍ୟାତନା ମାମଲା ସହିତ ଚାର୍ଜସିଟ୍‍ ନହୋଇ ଥାନାରେ ପଡିଥିବା ମାମଲାକୁ ମିଶାଇଲେ ଶିଶୁ ନିର୍ଯ୍ୟାତନା ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବହୁତ ଅଧିକ ହେବବୋଲି କୁହାଯାଉଛି ।

୨୦୧୯ ଶେଷ ବେଳକୁ ଓଡିଶାରେ ବିଚାରଧୀନ ଅବସ୍ଥାରେ ୧୨,୩୨୨ ମାମଲା ରହିଥିବାବେଳେ ୨୦୨୦ ବର୍ଷରେ ବିଚାର ପାଇଁ ଆଉ ୩୨୨୬ ମାମଲା ଯୋଡ଼ି ହୋଇଥିଲା । ତେବେ ଏ ସବୁକୁ ଦେଖିଲେ ଓଡିଶାରେ ଶିଶୁଙ୍କ ପ୍ରତି ଘଟିଥିବା ୧୫,୫୪୮ଟି ମାମଲା ଗତବର୍ଷ ବିଚାରାଧୀନ ରହିଥିବାବେଳେ ଏଥିରୁ ମାତ୍ର ୩୨୦ଟି ମାମଲା ଫଏସଲା ହୋଇଥିଲା। ସେଥି ମଧ୍ୟରୁ ୨୬୬ଟି ମାମଲାରେ ଅଭିଯୁକ୍ତ ଖସିଯାଇଥିବାବେଳେ ମାତ୍ର ୫୪ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଛି। ତେବେ ଆମ ବିଚାର ବ୍ୟବସ୍ଥାରେ ଉପର କୋର୍ଟରେ ଅପିଲ କରିବାର ସୁଯୋଗ ଥିବାରୁ ଦଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ବି ଏବେ ଜାମିନରେ ବାହାରେ ବୁଲୁଛନ୍ତି । ଗତବର୍ଷ ଓଡିଶାରେ ଶିଶୁଙ୍କ ପ୍ରତି ଘଟିଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୧୬.୯ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହି ହାର ୪୫.୧ ପ୍ରତିଶତ ରହିଥିଲା । ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ଯେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ସେଥିରୁ ୯୭.୯ ପ୍ରତିଶତ ବିଚାର ହୋଇ ନଥିବା ବେଳେ ମାତ୍ର ୨.୧ ପ୍ରତିଶତ ମାମଲା ଫଏସଲା ହୋଇଥିଲା । ସମଗ୍ର ଦେଶରେ ଏ ସଂକ୍ରାନ୍ତୀୟ ୯୫ ପ୍ରତିଶତ ମାମଲା ଫଏସଲା ହୋଇପାରିନଥିଲା । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପୋକ୍‍ସୋ ଆଇନ୍‍ ଆଧାରରେ ସମଗ୍ର ଦେଶରେ ୬୬ହଜାରରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଥିବାବେଳେ ଏ କ୍ଷେତ୍ରରେ ବି ଦଣ୍ଡବିଧାନ ହାର କିନ୍ତୁ ସେତେଟା ଉତ୍ସାହ ଜନକ ନୁହେଁ । ଶିଶୁମାନଙ୍କୁ ଯୌନ ଶୋଷଣ, ବଳାତ୍କାର, ହତ୍ୟା, ଭ୍ରୁଣହତ୍ୟା, ଆକ୍ରମଣ, ଶିଶୁ ବିକ୍ରି, ଶିଶୁ ଶ୍ରମିକଙ୍କୁ ଖଟାଇବା, ଶିଶୁଙ୍କ ଅପହରଣ, ଚାଲାଣ ଆଦି ମାମଲା ସଂଖ୍ୟା ଆମ ଦେଶରେ ଢେର ଅଧିକ ରହୁଛି ।

Related Posts