ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡ୍‌ଙ୍କୁ ହୋଇଛି ଆକ୍ରମଣ। ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡ୍‌ଙ୍କୁ ଭାଲୁ ଆକ୍ରମଣ କରିଥିଲା। ବସ୍‌ ଝରକାରେ ବାହାରିଥିବା ଗାଇଡ୍‌ଙ୍କ ହାତକୁ ଝୁଣି ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।-

ପୂରା ଘଟଣା ଏମିତି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍‌ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା।  ସାଥୀରେ ଥିଲେ ଗାଇଡ୍‌ ନିବାସ ବେହେରା। ସଫାରୀରେ ବୁଲାବୁଲି ସାରି ପ୍ରାୟ ୪.୨୦ ମିନିଟ୍‌ରେ ଫେରୁଥିବା ବେଳେ ଛପି ରହିଥିବା ଗୋଟିଏ ଭାଲୁଟି ବସ୍‌ ଉପରକୁ ଲମ୍ଫ ମାରିଥିଲା। ଏହାପରେ ବସ୍‌ ଉପରେ ଡିଆଁ ଡେଇଁ କରିଥିଲା। ସେହି ସମୟରେ ନିବାସ ବେହେରା ଅଜାଣତରେ ଝରକା ବାହାରକୁ ନିଜର ହାତ ବାହାର କରିଦେଇ ଥିଲେ। ବସ୍‌ ଛାତ ଉପରେ ଡେଉଁଥିବା ଭାଲୁଟି ନିବାସଙ୍କ ଡାହାଣ ହାତକୁ ଝୁଣି ପକାଇଥିଲା। ଫଳରେ ସେ ରକ୍ତାକ୍ତ ହୋଇଯାଇଥିଲେ।

ରକ୍ତମୁଖା ଭାଲୁର ଏ ଉଗ୍ର ରୂପ ଦେଖି ଭୟଭୀତ ହୋଇଯାଇଥିଲେ ପର୍ଯ୍ୟଟକ। ବସ୍‌ ଭିତରେ ପର୍ଯ୍ୟଟକମାନେ ଏକତ୍ର ହୋଇ ହୋ-ହଲ୍ଲା କରିଥିଲେ। କିଛି ସମୟ ପରେ ଚାଳକ ବସ୍‌ଟିକୁ ଭାଲୁ ସଫାରୀ ବାହାରକୁ ନେଇ ଆଣିଥିଲେ। ଏଥିରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିଲେ ମଧ୍ୟ ଗାଇଡ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି।ଆହୁରି ପଢ଼ନ୍ତୁ

ବର୍ତ୍ତମାନ ସୁଦ୍ଧା ଭାଲୁ ଆକ୍ରମଣ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି, ଭାଲୁ ସଫାରୀ ଭିତରକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ ଗାଇଡ୍‌ଲାଇନ୍‌ ପାଳନ କରୁଛି ତ?  ବସ୍‌ ଝରକାରେ ତାର ଜାଲି ଲାଗୁଛି ତ? ଯଦି ତାର ଜାଲି ଲାଗିଥିଲା, ତାହାହେଲେ ଗାଇଡ୍‌ ନିବାସଙ୍କ ହାତ ବାହାରକୁ କେମିତି ବାହାରିଲା? ଗାଇଡ୍‌ଙ୍କ ହାତକୁ ଭାଲୁ ଝୁଣିବା ପରେ ଏମିତି ଅନେକ ପ୍ରଶ୍ନବାସୀ ସାଧାରଣରେ ଉଙ୍କି ମାରିଛି।

ସୂଚନାରୁ ପ୍ରକାଶ, ୨୦୧୮ ମସିହାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ଭିତରେ ଫସି ଯାଇଥିଲା ବସ୍‌। କାଦୁଅ ରାସ୍ତାରେ ବସ୍‌ଟି ଫସି ଯାଇଥିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ବସ୍‌ଟି ଫସି ରହିଥିଲା।