ବର୍ଷା-ଅନୁଭବ ବିବାହ ବିବାଦ ମାମଲା : ଅନୁଭବଙ୍କ ଅଭିଯୋଗ, ମିଥ୍ୟା କାଗଜପତ୍ରରେ ପାସ୍‌ପୋର୍ଟ ହାତେଇଛନ୍ତି ବର୍ଷା

ସତ୍ୟପାଠ 28/12 କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସୋମବାର ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ବର୍ଷା କିଛି ମିଥ୍ୟା କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବୋଲି ଅନୁଭବ କହିଛନ୍ତି । ଘଟଣାଟି ଦେଶର ସୁରକ୍ଷା ସହିତ ଜଡ଼ିତ ଥିବାରୁ ଏନେଇ ସେ ସଂସଦକୁ ମଧ୍ୟ ଅବଗତ କରିଛନ୍ତି ବୋଲି ଅନୁଭବ ଜଣାଇଛନ୍ତି । ଏନେଇ କିନ୍ତୁ ଅଭିନେତ୍ରୀ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି । ବର୍ଷା-ଅନୁଭବ ବିବାହ ବିବାଦ ମାମଲାରେ ଅନୁଭବ ପରିବାର କୋର୍ଟକୁ ଆସିଥିଲେ । କୋର୍ଟ କାମ ଶେଷ ପରେ ସେ ବାହାରକୁ ଆସି ପତ୍ନୀ ବର୍ଷାଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ । ବର୍ଷା ଭାରତୀୟ ପାସ୍‌ପୋର୍ଟ ତିଆରି କରିଛନ୍ତି । ମାତ୍ର ସେ ଏହି ପାସ୍‌ପୋର୍ଟ ପାଇବା ପାଇଁ ଜାଲ୍‌ କାଗଜପତ୍ର ଦେଇଥିବା ଅନୁଭବ କହିଛନ୍ତି । ବର୍ଷା ଦେଇଥିବା ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପାସ୍‌ ପ୍ରମାଣପତ୍ର ଜାଲ୍‌ ବୋଲି ଅନୁଭବ ଅଭିଯୋଗ କରିଛନ୍ତି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଏଭଳି ଜାଲ୍‌ କାଗଜପତ୍ର ଦେଇ ଦେଶର ସୁରକ୍ଷା ସହିତ ସାଲିସ କରି ପାସ୍‌ପୋର୍ଟ ହାତେଇବା ଗୁରୁତର ଅଭିଯୋଗ ବୋଲି ଅନୁଭବ ମତ ଦେଇଛନ୍ତି । ତେବେ ସେ ବର୍ଷାଙ୍କ ବିଷୟରେ ଏହା ଜାଣିବା ପରେ ଚାଲିଥିବା ଶୀତକାଳୀନ ସଂସଦ ଅଧିବେଶନରେ ସଂସଦକୁ ଅବଗତ କରିଛନ୍ତି । ଏହାର ତଦନ୍ତ କରି ପାସ୍‌ପୋର୍ଟ ରଦ୍ଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଭବ ସଂସଦକୁ ଅନୁରୋଧ କରିଛନ୍ତି । ଏହି ଘଟଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ଅନୁଭବ ଦାବି କରିଛନ୍ତି । ଅନ୍ୟପଟେ କିନ୍ତୁ ଅନୁଭବଙ୍କ ଏହି ଅଭିଯୋଗ ବିଷୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପରେ ବି ବର୍ଷା ମୁହଁ ଖୋଲି ନାହାନ୍ତି ।

Related Posts