ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭାରୁ ୧୨ ଜଣ ବିଜେପି ବିଧାୟକଙ୍କ ନିଲମ୍ବିତ ମାମଲା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ଦେଶର ସବୋର୍ଚ୍ଚ କୋର୍ଟ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଥିବାର ଦେଖିବାକୁ ମିଳିଛି । ନିଲମ୍ବିତ କରିବା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ସେମାନଙ୍କୁ ଏକ ବର୍ଷ ନିଲମ୍ବିତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ବିଧାୟକଙ୍କୁ ଏକ ବର୍ଷ ପାଇଁ ନିଲମ୍ବନ କରିବା ବହିଷ୍କାର ଠାରୁ ମଧ୍ୟ ବଡ଼ ଅଟେ । ଏପରି କରିବା ଦ୍ୱାରା ସମଗ୍ର ନିର୍ବାଚନ ମଣ୍ଡଳୀକୁ ଦଣ୍ଡ ଦେବା ସହିତ ସମାନ ବୋଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି । ଏହି ମାମଲାରେ ଜଷ୍ଟିସ ଏମ ଖାନୱିଲକର ମଧ୍ୟ ବଡ଼ ବୟାନ ଦେଇଥିବାର କଥା ସାମ୍ନାକୁ ଆସିଛି । ତେବେ ବିଧାୟକଙ୍କୁ ବହିଷ୍କାର କରିବା ଅପେକ୍ଷା ନିଲମ୍ବିତ ନିଷ୍ପତ୍ତି ଅଧିକ ଖରାପ ଅଟେ । କାହିଁକିନା ସମ୍ପୃକ୍ତ ଅଞ୍ଚଳରୁ ବିଧାୟକମାନେ ବିଧାନସଭାରେ ଉପସ୍ଥିତ ନଥିବାରୁ ଏହି ନିର୍ବାଚନମଣ୍ଡଳୀକୁ କେହି ପ୍ରତିନିଧିତ୍ୱ କରିପାରିବେ ନାହିଁ । ତେଣୁ ନିଲମ୍ବିତ କରିବା କେବଳ ବିଧାୟକଙ୍କୁ ଦଣ୍ଡ ଦେବା ନୁହେଁ ବରଂ ସମଗ୍ର ସମଗ୍ର ନିର୍ବାଚନମଣ୍ଡଳୀକୁ ଦଣ୍ଡ ଦେବା ସହ ସମାନ ଅଟେ ।
ଏହା ସହ ସୁପ୍ରିମକୋର୍ଟ ଏକ ବର୍ଷର ନିଲମ୍ବନ ଦଣ୍ଡର ନ୍ୟାୟିକ ସମୀକ୍ଷା କରିବେ ବୋଲି ଜଷ୍ଟିସ ଏମ ଖାନୱିଲକର କହିଛନ୍ତି । ଅନ୍ୟପଟେ ମହରାଷ୍ଟ୍ର ସରକାର ଏହାର ଉତ୍ତୀ ଦାଖଲ କରିବା ପାଇଁ ସମୟ ଲୋଡ଼ିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୮ ତାରିଖରେ ହେବାକୁ ଯାଉଛି । ଅନ୍ୟପଟେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକ ନିର୍ବାଚନମଣ୍ଡଳୀ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ ବିନା ରହିପାରିବ ନାହିଁ ।
କେବଳ ଏତିକି ନୁହେଁ ବରଂ ଏକ ବିଧାନସଭା ଦ୍ୱାରା ଦିଆଯାଇଥିବା ଦଣ୍ଡର ପରିମାଣ ବିଷୟରେ କୋର୍ଟ ଅନୁସନ୍ଧାନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଆବେଦନକାରୀ ବିଜେପି ବିଧାୟକମାନେ କହିଛନ୍ତି ଯେ, ପ୍ରାକୃତିକ ନ୍ୟାୟର ନୀତି ଗୃହ ଦ୍ୱାରା ଉଲ୍ଲଂଘନ କରାଯାଇଛି । ନିର୍ବାଚନମଣ୍ଡଳୀର ଅଧିକାରର ସୁରକ୍ଷା କରିବାର ଆବଶ୍ୟକତା ରହିଛି । ଏହିପରି ବହିଷ୍କାର ସରକାରଙ୍କୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଗୃହରେ କ୍ଷମତାକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇପାରେ ବୋଲି ନିଲମ୍ପିତ ବିଜେପି ବିଧାୟକମାନେ ସ୍ପଷ୍ଟ କରିଛନ୍ତି ।





