ନିର୍ବାଚନୀ ସଭାରେ ଯୋଗ ଦେବା ପ୍ରିନ୍ସପାଲ ଓ ଏସଡିପିଓଙ୍କୁ ପଡିଲା ମହଙ୍ଗା | ମାର୍ଶାଘାଇ ମାଆ ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି। କଲେଜର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ।
ସେହିପରି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ଏସଡିପିଓଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି । ଉଭୟଙ୍କ ନାଁରେ ଆଇପିସି ସେକ୍ସନ ୧୮୮ ଆଧାରରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚାନଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମା’ତାରିଣୀ କଲେଜରେ ହୋଇଥିବା ଏକ ନିର୍ବାଚନୀ ସଭାର ଭିଡିଓ ଗତକାଲି ଭାଇରାଲ ହେବା ପରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ସେହି ସଭାରେ ମା’ତାରିଣୀ କଲେଜର ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀ ଉପସ୍ଥିତ ଥିବା ବେଳେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।
ଉକ୍ତ ସଭାରେ ପ୍ରାୟ ୨ଶହରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀନୀଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା। ଉଭୟ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀ ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାର ଭିଡିଓ ଗତକାଲି ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ପ୍ରଥମତଃ,ଏହି ସଭାରେ କୋଭିଡ ଗାଇଡଲାଇନ୍ର ଉଲ୍ଲଘଂନ ହୋଇଥିବା ବେଳେ ନିର୍ବାଚନୀ ଆଚରଣବିଧୀର ମଧ୍ୟ ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଥିଲା । ଏହାବାଦ ଉଭୟ ପ୍ରିନ୍ସିପାଲ ଓ ଏସ୍ଡିପିଓ ସରକାରୀ ଅଧିକାରୀ ହୋଇଥିବା ବେଳେ ନିର୍ବାଚନୀ ସଭାରେ ଯୋଗ ଦେବା ଜଣାପଡ଼ିବା ପରେ ଘଟଣା ସାଂଘାତିକ ମୋଡ ନେଇଥିଲା ।
ଏନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିବା ବେଳେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ଅଧିକାରୀଙ୍କ ନିଲମ୍ବନ ପାଇଁ ସୁପାରିସ କରିଛନ୍ତି। ଏନେଇ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।





