ସରକାରୀ କର୍ମଚାରୀମାନେ ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରୁହନ୍ତୁ; ନହେଲେ ଚାକିରି ଯିବ: ମୁଖ୍ୟ ସଚିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ରାଜ୍ୟର ମୁଖ୍ୟଶାସନ ସଚିବ ବଡ଼ ବୟାନ ଦେଇଛନ୍ତି । ତେବେ ସରକାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନଚେତ୍ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ର ପ୍ରାବଧାନ ଅନୁସାରେ ଚାକିରି ହରାଇବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି। ମୁଖ୍ୟ ସଚିବ ସୁରେଶ ମହାପାତ୍ର ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜ୍ୟରେ କାର୍ୟ୍ୟରତ ସରକାରୀ କର୍ମଚାରୀ, ବିଭିନ୍ନ ଉଦ୍ୟୋଗ, ନିଗମ, ସ୍ୱାୟତ୍ତ ସଂସ୍ଥା, ସମବାୟ ସଂସ୍ଥାର କର୍ମଚାରୀମାନେ ଯେଭଳି ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରହିବେ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।

ଏହା ସହିତ ଏଭଳି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଆଇପିସିର ୧୫୩ଏ, ୧୫୩ବି, ୧୭୧ବି, ୧୭୧ସି, ୧୭୧ଜି,୧୭୧ଏଚ ଓ ୫୦୫ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ତୁରନ୍ତ ନିରପେକ୍ଷ କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଂଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛନ୍ତି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ ର ପ୍ରାବଧାନ ଅନୁସାରେ କୌଣସି ସରକାରୀ କର୍ମଚାରୀ ଅବା ସ୍ୱାୟତ୍ତ ସଂସ୍ଥାରେ କାର୍ୟ୍ୟରତ ବ୍ୟକ୍ତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ୟ୍ୟ କରିପାରିବେ ନାହିଁ । ଯଦି ସେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏଭଳି କରନ୍ତି ଅବା ଭୋଟକୁ ପ୍ରଭାବିତ କରନ୍ତି ତା’ହେଲେ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି ।

Related Posts