ମାଘ ମେଳାରେ ଜନସାଧାରଣଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା; ପ୍ରଶାସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଥର କୋଭିଡ କଟକଣା ମଧ୍ୟରେ ଚନ୍ଦ୍ରଭାଗାରେ ମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଫେବ୍ରୁଆରି ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ନିମାପଡ଼ା ତହସିଲଦାର, ନିମାପଡ଼ା ବିଡିଓ , ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏକ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ, ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ। ଏଥିରେ ସେବାୟତ ଓ ଅଧିକାରୀ ଅଂଶଗ୍ରହଣ କରିବେ।

କୋଭିଡ କଟକଣା ଭିତରେ ସର୍ବାଧିକ ୫୦୦ରୁ ୬ ଶହ ଲୋକଙ୍କୁ ଅନୁମତି ଦିଆଯିବ। ତେବେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ତଥା ନୀତିକାନ୍ତି ଅନୁଷ୍ଠିତ ହେବ। ନୀତିକାନ୍ତି ସହ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ସାମ୍ବାଦିକଙ୍କୁ ପଡ଼ିଆ ଭିତରକୁ ପ୍ରବେଶ ଅନୁମତି ମିଳିବ। ଅନ୍ୟପଟେ ଆସନ୍ତା ୬ ତାରିଖ ସକାଳୁ ୭ ତାରିଖ ଦିନ ୧ଟା ପର୍ୟ୍ୟନ୍ତ ମେଳା ପଡିଆରେ ୧୪୪ ଧାରା ବଳବତ୍ତର ରହିବ । ଏହି ସମୟରେ ଜନସାଧାରଣଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା ସହ ପହିଲି ସୂର୍ୟ୍ୟ ଦର୍ଶନରୁ ବାରଣ କରାଯିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related Posts