ଓଡିଶା ଓପନ ବ୍ୟାଡ୍‌ମିଣ୍ଟନରେ ଇତିହାସ ରଚିଲେ ହରିୟାଣାର ଝିଅ

ହରିୟାଣାର ୧୪ ବର୍ଷୀୟା ଯୁବ ସର୍ଟଲର ଉନ୍ନତି ହୁଡ୍ଡା ରଚିଲେ ଇତିହାସ । ଓଡିଶା ଓପନ ବ୍ୟାଡ୍‌ମିଣ୍ଟନରେ ସେ ଇତିହାସ ରଚିଛନ୍ତି । ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଲେ ଉନ୍ନତି ହୁଡ୍ଡା । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ସ୍ମିତ ତୋସ୍ନିୱାଲଙ୍କୁ ସିଧା ସେଟ୍‌ରେ ହରାଇ ୭୫ ହଜାର ଡଲାର(୫୬ ଲକ୍ଷ ଟଙ୍କା) ପୁରସ୍କାର ରାଶି ଥିବା ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଟାଇଟେଲ ବିଜେତା ହୋଇଛନ୍ତି ଉନ୍ନତି । ଏଥିସହ ସେ ସୁପର-୧୦୦ ଟୁର୍ନାମେଣ୍ଟ ଜିତିବାରେ ସର୍ବକନିଷ୍ଠ ଭାରତୀୟ ମହିଳା ଖେଳାଳି ହେବାର ରେକର୍ଡ କରିଛନ୍ତି ।

ଫାଇନାଲ୍‌ରେ ୨୧-୧୮, ୨୧-୧୧ ସେଟ୍‌ରେ ବିଜୟୀ ହାସଲ କରିଛନ୍ତି । ସେମିଫାଇନାଲରେ ସଦୟ ମୋଦି ଇଣ୍ଟରନ୍ୟାସନାଲ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲିଷ୍ଟ ମାଳବିକା ବଂଶଦଙ୍କୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଉନ୍ନତି । ସେହି ଚମତ୍କାର ପ୍ରଦର୍ଶନ ବଜାୟ ରଖିବା ସହ ଫାଇନାଲରେ ମାତ୍ର ୩୫ ମିନିଟ୍‌ରେ ତୋସ୍ନିୱାଲଙ୍କ ବିପକ୍ଷରେ ବିଜୟ ହାସଲ କରିଥିଲେ ।

ତୋସ୍ନିୱାଲ ମଧ୍ୟ ସେମିଫାଇନାଲରେ ଅସ୍ମିତା ଚଲିହାଙ୍କୁ ୨୧-୧୯, ୧୦-୨୧, ୨୧-୧୭ ସେଟ୍‌ରେ ହରାଇ ବିପର୍ଯ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରିଥିଲେ । ଉନ୍ନତିଙ୍କ ଏହି ବିଜୟୀ ପ୍ରଦର୍ଶନ ପରେ ବକ୍ସର ଅମିତ ପଂଘଲ ଅଭିନନ୍ଦନ ଜଣାଇଛନ୍ତି ।

Related Posts