ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତୀକ ଦଳମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହା ପୂର୍ବରୁ ର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କର କୌଣସି ଅଘଟଣ ହେଲେ ମିଳୁଥିବା ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଥିଲା । ଆଉ ଏବେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ନିର୍ବାଚନ ଅଧିକାରୀ ମାନେ ଆସିବେ । ତେଣୁ ଆଗୁଆ ସର୍ତକତାମୂଳକ ପଦକ୍ଷେପ ଭାବେ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଏନେଇ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏହାପରେ ରାଜ୍ୟ ସରକାର ଚିଠି ଲେଖି ଏବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠାରୁ ଅନୁମତି ଲୋଡିଥିଲେ । ଆଉ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସବୁଜ ସଂକେତ ମିଳିଛି । ଅନ୍ୟପଟେ କରୋନା ଟୀକାର ଦ୍ୱିତୀୟ ଡୋଜ ନେବାର ୩ ମାସ ବା ୯୦ ଦିନ ପରେ ବୁଷ୍ଟର ଡୋଜ ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ, ସମସ୍ତ ମ୍ୟୁନିସପାଲଟି କମିଶନର ଓ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି ।