ରାଜ୍ୟରେ ଆଜି ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ । 73 ପ୍ରତିଶତ ମତଦାନ ସହ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ତେବେ ପୂର୍ବ ୩ ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି ।
ଆଜି ମତଦାନ ସମୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସାର ଚିତ୍ର ସାମ୍ନାକୁ ଆସିଛି । ପାରାଦୀପ୍ ରାହାମା କଣ୍ଟ୍ରୋଲ ରୁମ୍ରେ ଭୋଟ୍ ବାକ୍ସ ଟାମ୍ପରିଂ ଅଭିଯୋଗ କରି ପୋଲିଂ ଟିମ୍ ସ୍ଥାନୀୟ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏଭଳି ଘଟଣା କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍ରେ ଘଟିଛି । ଏହାପରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି ।
ରାଜ୍ୟରେ ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ଆଜି ମତଦାନ ହୋଇଛି । ଏହିସବୁ ଜିଲ୍ଲାର ମୋଟ୍ ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୨୫୪ଟି ଗ୍ରାମ ପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କରାଯାଇଛି ।





