ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା: ଖୋର୍ଦ୍ଧା ଜିଲ୍ଲା କାଇପଦର ବିଜୟୀ ସରପଞ୍ଚଙ୍କ ସମର୍ଥକଙ୍କ କାର୍‌ ଜାଳି ଦେଇଛନ୍ତି ଦୁର୍ବୃତ୍ତ

ସରିଛି ନିର୍ବାଚନ । ପ୍ରକାଶ ପାଇ ସାରିଛି ନିର୍ବାଚନ ଫଳାଫଳ। ତେବେ କିନ୍ତୁ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମିନି । ଏନେଇ ଏବେ ସାମ୍ନାକୁ ଅନେକ ଖବର ଆସୁଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ବିଜୟୀ ସରପଞ୍ଚଙ୍କ ସମର୍ଥକଙ୍କ କାର୍‌ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କାଇପଦା ଗାଁର ମାନସ ରାଉତରାୟଙ୍କ ଘର ସମ୍ମୁଖରେ ଥିବା କାରକୁ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। କାର୍‌ଟି ସମ୍ପୁର୍ଣ୍ଣ ଜଳିଯାଇଛି। ଏନେଇ ମାନସ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ଏଇ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବ, ସେ ନେଇ ପୁଲିସ କଡ଼ା ନଜର ରଖିଛି।

ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ସଦରଥାନା ଆଇଆଇସି କହିଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଓ ବ୍ରହ୍ମପୁରରେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଯାଜପୁରରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ବ୍ରହ୍ମପୁରରେ ବୋମାମାଡ଼ ହୋଇଛି।

Related Posts