ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକରେ ହତ୍ୟାକାଣ୍ଡ; ଘଟଣାକୁ ପ୍ରତିବାଦ କରି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଦ୍ରକରେ ରାଜନୈତିକ ଶତ୍ରୁତାରୁ ଯୁବକଙ୍କ ହତ୍ୟା ଘଟଣାର ପ୍ରତିବାଦ କରି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବିଜେପି ଓ ବିଜେଡି ଧାରଣା ଦେଇଛନ୍ତି । ଆଉ ସବୁଠାରୁ ରୋଚକ କଥାଟି ହେଉଛି ଉଭୟ ପରସ୍ପରକୁ ଏହି ହତ୍ୟାକାଣ୍ଡର ଦୋଷୀ ବୋଲି ଦର୍ଶାଉଛନ୍ତି । ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି ବିଜେଡି । ସେପଟେ ହିଂସାକାଣ୍ଡରେ ବିଜେଡି କର୍ମୀ ସମ୍ପୃକ୍ତ ଥିବା କହିଛି ବିଜେପି । ପଞ୍ଚାୟତ ନିର୍ବାଚନ ବେଳେ ରାଜନୈତିକ ଆକ୍ରୋଶରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି ଭଦ୍ରକ ଧାମନଗର ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିରରେ ଜଣେ ବିଜେଡି କର୍ମୀଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟ ।

ମୃତକ ଜାହାଙ୍ଗିରର ପ୍ରତାପ ଚନ୍ଦ୍ର ରାଉତ। ପ୍ରତାପ ରାତିରେ ଘରକୁ ଫେରୁଥିବା ବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରତାପଙ୍କ ଭାଇ ଓ ଗାଁର କିଛି ଲୋକ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କୁ ହତ୍ୟା ଧମକ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଏନେଇ ୧୭ଜଣଙ୍କ ନାଁରେ ୩୦୨, ୫୦୭, ୨୯୪ ଦଫାରେ ମାମଲା ରୁଜୁ କରିଛି ।

Related Posts