କଟକ ଜିଲ୍ଲା ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ନିର୍ବାଚନୀ ହିଂସା

ରାଜ୍ୟରେ ଆଜି ଶେଷ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ମତଦାନ ପକ୍ରିୟା | ତେବେ ମତଦାନର ଶେଷ ଦିନ ଅର୍ଥାତ ଆଜି କଟକ ଜିଲ୍ଲା ନିଆଳି ବ୍ଲକରେ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ସାଂଘାତିକ ନିର୍ବାଚନୀ ହିସାଂ। କେଉଁଠି ବୁଥ୍‌କୁ କବଜା କରି ଜବରଦଖଲକାରୀ ଭୋଟ ଦେଲେ ତ କେଉଁଠି ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଲେ। କେବଳ ଏତିକି ନୁହେଁ, କେତେକ ସ୍ଥାନରେ ବାଲାଟ ବକ୍ସ ଭିତରେ ପାଣି ବି ପଶାଇ ଦେଲେ। ନିର୍ବାଚନ ସମୟରେ ଏପରି ହିଂସା ଘଟିଥିବା ଅଭିଯୋଗ ହେବାପରେ ପଞ୍ଚାୟତର ୯ଟି ବୁଥରେ ବନ୍ଦ ରହିଛି ଭୋଟଗ୍ରହଣ । ଏପରିକି ସମଗ୍ର ପଞ୍ଚାୟତରେ ପୁନଃ ନିର୍ବାଚନ ଦାବିରେ ଗ୍ରାମବାସୀ ପୋଖରୀ ଗାଁ ଛକରେ ରାସ୍ତାରୋକ କରିଛନ୍ତି । ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରୁଥିଲେ ବି ପରିସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି |

ସୂଚନାଯୋଗ୍ୟ, ନିଆଳି ବ୍ଲକ ପୋଖରୀ ଗାଁ ପଞ୍ଚାୟତରେ ୨୩ଟି ବୁଥ୍‌ ଥିବା ବେଳେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ତେବେ ପ୍ରଥମେ ୧ରୁ ୫ ନଂ ବୁଥ୍‌ ଓ ୨୦ ଓ ୨୧ ନମ୍ବର ବୁଥ୍‌କୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜବରଦଖଲକାରୀ ନିଜ କବଜାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ବୁଥ୍‌କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ନିଜ କବଜାରେ ରଖି ମନଇଚ୍ଛା ଭୋଟଦାନ କରିଥିବା କହିଥିଲେ ଗ୍ରାମବାସୀ |

ଏହାପରେ ସେମାନେ ୧୧ରୁ ୧୯ ନମ୍ବର ବୁଥ୍‌ରେ ପ୍ରବେଶ କରି ବହୁ ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଛନ୍ତି। କେବଳ ସେତିକି ନୁହେଁ, ବହୁ ବାକ୍ସରେ ପାଣି ବି ପୂରାଇ ଦେଇଛନ୍ତି। ଏପରିକି ଜବରଦଖଲକାରୀଙ୍କ ଆକ୍ରମଣରେ ଜଣେ ଏଜେଣ୍ଟ ଆହତ ହୋଇଛନ୍ତି |

Related Posts