ସୁନା ଦର ଉପରେ ପଡିଲା ଋଷ- ୟୁକ୍ରେନ୍ ଯୁଦ୍ଧ ପ୍ରଭାବ: ଗୋଟିଏ ଦିନରେ ୧୪୦୦ ଟଙ୍କା ବୃଦ୍ଧି

ଋଷ- ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ | ତେବେ ଏହାର ପ୍ରଭାବ ସେୟାର ବଜାର ଉପରେ ପଡିଛି | ଆଶାତୀତ ଭାବେ ବଢିଛି ସୁନା ଦର । ୧୦୦ କି ୨୦୦ ଟଙ୍କା ନୁହେଁ ପୁରାପୁରି ୧୪୦୦ ଟଙ୍କା ବଢିଛି ସୁନାଦର । ଏହାସହ ରୂପା ଦର ୨୦୦୦ ଟଙ୍କା ବଢିଛି । ଭାରତୀୟ ବଜାରରେ ଆଜି ସୁନା ଦର (୨୪କ୍ୟାରେଟ୍ ) ୧୦ ଗ୍ରାମ ପିଛା ୫୧,୭୫୦ ଟଙ୍କା ଉପରେ ରହିଛି ।

ବାସ୍ତବରେ, ବିଶ୍ୱଚାପ ହେତୁ, ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି, ଯେଉଁଠାରୁ ସୁନା ବି ବାଦ ପଡିନି । ଯଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରୁହେ ତେବେ ସୁନାମୂଲ୍ୟ ଆହୁରି ବୃଦ୍ଧି ପାଇବ । ବିଶେଷଜ୍ଞମାନଙ୍କ ଆକଳନ ମୁତାବକ, ମାତ୍ର କିଛି ଦିନରେ ସୁନା ଦର ପ୍ରତି ୧୦ ଗ୍ରାମରେ ୬୦,୦୦୦ ଟଙ୍କା ସ୍ତରକୁ ଛୁଇଁପାରେ ।

ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ବୋଲି ଆଶଙ୍କା ଥିବା ବେଳେ, ଏହି ଆଶଙ୍କା ଏବେ ସତରେ ପରିଣତ ହୋଇଛି | ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ଥିବାବେଳେ ଋଷ ରାଷ୍ଟ୍ରପତିଙ୍କ ଯୁଦ୍ଧ ଘୋଷଣା ପରେ ଆଜି ଏହା ୧୦୦ ଡଲାର ଅତିକ୍ରମ କରିଛି । ଯାହା ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ।

ଆଜି ଏସିଆରେ କ୍ରୁଡ ଅଏଲ ୧୦୩.୩୪ ଡଲାର ରହିଛି । ଯାହାକି ୨୦୧୪ ସେପ୍ଟେମ୍ବର ପରଠୁ ସର୍ବାଧିକ ଅଟେ । ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ରୁ ୨୦ ଟଙ୍କା ଯାଏଁ ବୃଦ୍ଧି ପାଇପାରେ । ଏହାସହିତ ପ୍ରାକୃତିକ ଗ୍ୟାସର ମୂଲ୍ୟ ମଧ୍ୟ ବଢିବ ବୋଲି ଆଶଙ୍କା କରାଯାଉଛି । ଏହାଯୋଗୁଁ ଦେଶରେ ଏଲପିଜି ଏବଂ ସିଏନଜି ମୂଲ୍ୟ ବଢିବାର ସମ୍ଭାବନା ରହିଛି । କହିରଖୁଛୁ କି, ଋଷିଆ ବିଶ୍ବର ଦ୍ବିତୀୟ ବୃହତ୍ତମ ତୈଳ ଉତ୍ପାଦକ ଅଟେ । ତେଣୁ ଆଜି ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା ପରେ ହଠାତ୍ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ସେହିପରି ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଆହୁରି ବଢିବା ବୋଲି ଆଶଙ୍କା ବ୍ୟକ୍ତ
କରାଯାଇଛି ।

Related Posts