ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏନେଇ ସାରା ବିଶ୍ୱବାସୀ ଚିନ୍ତିତ ଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବଂ କହିଛନ୍ତି ଯେ ସେ ରହିବେ ଏବଂ ଯୁଦ୍ଧ କରିବେ। ତେବେ ଆମେରିକା ଜେଲେନସ୍କିଙ୍କୁ ଦେଶ ଛାଡିଦେବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସ୍ପଷ୍ଟ ଭାବେ ଏହାକୁ ଖାରଜ କରିଦେଇଛନ୍ତି ଜେଲେନସ୍କି । ତାଙ୍କ କହିବାନୁସାରେ, ସେ ଡରି ପଳାଇବା ଲୋକ ନୁହେଁ । ଋଷ ସେନା ରାଜଧାନୀ କିଏଭକୁ କବଜା କରିନି । ଯଦି ସାହାଯ୍ୟ କରିବାକୁ ଚାହୁଁଛ ତେବେ ଗୁଳିଗୋଳା ଦିଅ ବୋଲି ୟୁକ୍ରେନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଥିଲେ ।

ଅନ୍ୟପଟେ ଜେଲେନସ୍କିଙ୍କୁ ଆମେରିକାର ଅଫର ଗୁପ୍ତଚର ଆଧାରରେ ହୋଇଥିଲା ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସରକାରକୁ ହଟାଇବାକୁ ଏବଂ ଏହାକୁ ତାଙ୍କ ଶାସନ ସହିତ ବଦଳାଇବାକୁ ସ୍ଥିର କରିଛନ୍ତି। ଜେଲେନସ୍କି ଏହା ପୂର୍ବରୁ କହିଛନ୍ତି ଯେ ରୁଷର ପ୍ରଥମ ଟାର୍ଗେଟରେ ମୁଁ ଆଉ ମୋ ପରିବାର । ଏନେଇ ରୁଷର ସୈନିକମାନେ କିଏଭକୁ ଆସିବାରେ ଲାଗିଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ସେପଟେ ୟୁରୋପୀୟ ୟୁନିଅନ୍ ନେତାଙ୍କ ସହ ଏକ ଭିଡିଓ କନଫରେନ୍ସ ସମୟରେ ୟୁକ୍ରେନର ରାଷ୍ଟ୍ରପତି ସେମାନଙ୍କୁ କହିଛନ୍ତି ଯେ ଆପଣ ମୋତେ ଶେଷ ଥର ପାଇଁ ଜୀବନ୍ତ ଦେଖିଥାନ୍ତୁ । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱ ଚିନ୍ତିତ ।