
୧୨ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ | ରୁଷର ଆକ୍ରମଣରେ ବେହାଲ ୟୁକ୍ରେନ ରେ ଏବେ ସବୁଆଡେ ଜଳୁଛି ନିଆଁ | ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛି | ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି । ଏପରି ସ୍ଥଳେ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ତରଫରୁ ଗଣମାଧ୍ୟମରେ ଏହି ସୂଚନା ମିଳିଛି ।
ଏହା ପୂର୍ବରୁ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥା ହୋଇଥିଲେ ।କିଛି ସମୟ ପାଇଁ ଯୁଦ୍ଧ ବିରତି ଲାଗୁ କରି ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ନେଇ ସହଯୋଗ କରିବାକୁ ପୁଟିନଙ୍କୁ ଅନୁରୋଧ କରିଥିଲେ । ଏହି ସମୟରେ ପୁଟିନ ୟୁକ୍ରେନ ସେନା ଉପରେ ଦୋଷ ଲଦି କହିଥିଲେ ଯେ, ୟୁକ୍ରେନ ସେନା ହିଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖି ତାଙ୍କୁ ଢାଲ ଭାବେ ବ୍ୟବହାର କରୁଛି । ସେମାନଙ୍କୁ ଋଷ ସୀମାକୁ ରୋକୁଛି ୟୁକ୍ରେନ ସେନା ।
ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ଆଲୋଚନା କରିପାରନ୍ତି ମୋଦି । ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି 2 ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା । ତେବେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ ।