ୟୁକ୍ରେନ ଉପରେ ରୁଷ ର ଘନ ଘନ ଆକ୍ରମଣ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି | ଆଜି ୪ର୍ଥ ଦିନରେ ଯୁଦ୍ଧ ପହଁଚିଥିବା ବେଳେ ରୁଷିଆ ମିସାଇଲ ଓ ରକେଟ ଆକ୍ରମଣ କରିଛି । ଜାରି ରହିଛି ରୁଷର ଘନ ଘନ ଆକ୍ରମଣ | ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବେଳେ, ସେପଟେ ରୁଷର ସେନାର ଆକ୍ରମଣରେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍।
ସେପଟେ ଏହାରି ମଧ୍ୟରେ ଆଉ ଏକ ଯୁଦ୍ଧ ହେବା ନେଇ ଆଶଙ୍କା ଦେଖା ଦେଇଛି | ୟୁକ୍ରେନ ପରେ ଋଷର ପରବର୍ତ୍ତୀ ଟାର୍ଗେଟ୍ ତାଇଓ୍ୱାନ ରହିଛି | ଯଦି ତାଙ୍କ ଯୋଜନା ସଫଳ ହୁଏ ତେବେ ତାଇଓ୍ୱାନ ପ୍ରତି ବିପଦ ରହିଛି । ଏଭଳି କିଛି ଦାବି କରିଛନ୍ତି ରୁଷର ଚେସ୍ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କ୍ୟାସପରୋଭ୍।
ସେ ଆହୁରି କହିଛନ୍ତି ଯେ, ଆଗକୁ ପୁଟିନ ବଡ ଯୁଦ୍ଧ ପାଇଁ ଯୋଜନା କରୁଛନ୍ତି । ଯଦି ତାଙ୍କ ଯୋଜନା ସଫଳ ହୁଏ ତେବେ ତାଇଓ୍ୱାନ ପ୍ରତି ବିପଦ ରହିଛି। ଚୀନ୍ ମଧ୍ୟ ରୁଷର ସମାନ ପନ୍ଥା ଆପଣାଇପାରେ। କେବଳ ୟୁକ୍ରେନ ସଙ୍କଟରେ ନୁହେଁ ବରଂ ସାରା ବିଶ୍ୱର ସୁରକ୍ଷା ପ୍ରତି ଏହା ଏକ ବଡ ଚେତାବନୀ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଯଦି ୟୁକ୍ରେନକୁ ପୁଟିନ ସମ୍ପୂର୍ଣ୍ଣ ଦଖଲ କରିନିଅନ୍ତି ତେବେ ଚୀନ ଆଗକୁ ତାଇଓ୍ୱାନ ବିପକ୍ଷରେ କିଛି ଏଭଳି ସମାନ ପଦକ୍ଷେପ ନେଇପାରେ। ୟୁକ୍ରେନର କ୍ଷତ୍ରୀୟ ଅଖଣ୍ଡତାକୁ ମାନ୍ୟତା ଦେବା ଭାରତର ହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ଉପରେ ଆକ୍ରମଣ ରୁଷ ଓ ରୁଷ ନାଗରିକଙ୍କ ଅପମାନ ସହ ସମାନ। ପୁଟିନ ଏବେ ଯାହା କହୁଛନ୍ତି ପୂର୍ବରୁ ଆଡଲଫ ହିଟଲର ଓ ବେନିଟୋ ମୁସୋଲିନି ତାହା କରୁଥିଲେ। ପୁଟିନ ମିଛ କହିବାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପୁଟିନ ଏକ ଗ୍ୟାଙ୍ଗ୍ ଚଳାଉଛନ୍ତି ଏବଂ ଜଣେ ମାଫିଆ ମୋ ଦେଶକୁ ନିୟନ୍ତ୍ରଣ କରିଛନ୍ତି ଏବଂ ସେ ଯାହା କରୁଛନ୍ତି ତାହା ଏହି ଗ୍ୟାଙ୍ଗର ସପକ୍ଷରେ ଅଛି। ଦେଶକୁ କଳଙ୍କିତ କରିଛନ୍ତି ପୁଟିନ। ୟୁକ୍ରେନ ଆକ୍ରମଣର ଫଳ ପୁଟିନଙ୍କୁ ଆଗକୁ ଭୋଗିବାକୁ ପଡିବ। ପୁଟିନ ନାଟୋକୁ ନେଇ ବାରମ୍ବାର ମିଛ କହୁଛନ୍ତି।
