ପୁରୀ(ଭୁବନେଶ୍ୱର): ବିବାଦ ଘେରରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ । ପ୍ରତ୍ନତତ୍ତ୍ୱ ବିଭାଗର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରୁନାହିଁ ଠିକା ସଂସ୍ଥା । ତେବେ ଶ୍ରୀମନ୍ଦିର ଚତୁଃପାଶ୍ୱରେ ଗଭୀର ଖନନ ଦ୍ୱାରା ମାଟିର ଶୃଙ୍ଖଳ ବିଗିଡ଼ିଗଲେ କେବଳ ଶ୍ରୀମନ୍ଦିର ସହ ହଜାର ହଜାର ବର୍ଷର କୀର୍ତ୍ତିରାଜି ବିପଦ ଭିତରକୁ ଚାଲିଯିବ । ସେପଟେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଡିଜି ଭି. ବିଦ୍ୟାଭାରତୀ ଓ ତାଙ୍କ ଟିମ ପୁରୀ ଗୃରେ ଆସି ଶ୍ରୀମନ୍ଦିରର ୧୦୦ ମିଟର ପରିଧି ବାହାରେ ଖନନ କାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି । ହେଲେ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ ଏହାକୁ ବାରମ୍ବାର ଅଣଦେଖା କରିବାରେ ଲାଗିଛି । ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଶ୍ରୀମନ୍ଦିର ଠାରୁ ମାତ୍ର ୨୦ ଫୁଟ ଦୂରରେ ବଡ଼ ବଡ଼ ଜେସିବି, ଏସ୍କାଭେଟର ଲଗାଇ ଖନନ ସହ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରିବା ପରେ ବର୍ତ୍ତମାନ ଦକ୍ଷିଣ ଦ୍ୱାରରେ ବି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରି କଂକ୍ରିଟ ନିର୍ମାଣ କରାଯାଉଛି । ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଠିକା ସଂସ୍ଥାର ଏଭଳି ହେୟଜ୍ଞାନ ଭକ୍ତ, ସେବାୟତଙ୍କ ମନରେ ଅସନ୍ତୋଷ ଭରି ଦେଇକ୍ତି । ସେପଟେ ଏହି ନିର୍ମାଣ ବିରୋଧରେ ଶ୍ରୀଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ନିର୍ମାଣକୁ ବେଆଇନ ଦର୍ଶାଇବା ସହ ତୁରନ୍ତ କାମ ବନ୍ଦ କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।
ତଥାପି ଯଦି କାମ ବନ୍ଦ ନହୁଏ, ତାହାଲେ ଶ୍ରୀଜଗନ୍ନାଥ ସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସଙ୍ଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ଯେ, ଆମ ଦେଶର ମହାନ କୀର୍ତ୍ତିରାଜି ସବୁର ସଂରକ୍ଷଣ ତଥା ସୁରକ୍ଷା ପାଇଁ ଏନଏମଏ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୦୦ ମିଟର ପରିଧିରେ ନିର୍ମାଣ ନେଇ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ଅମସାର ଆଇନର-୧୯୫୮, ୨୦(କ)ରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । କୌଣସି ପରିସ୍ଥିତିରେ ମଧ୍ୟ ଶ୍ରୀମନ୍ଦିରର ୧୦୦ମିଟର ପରିଧିରେ ଖନନ ବା ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଦର୍ଶାଯାଇଛି । କିନ୍ତୁ ରାଜ୍ୟ ସରକାର ଜୋର ଜବରଦସ୍ତ ଏନଏମଏର ଅନୁମତି ବିନା ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ଖନନ ସହ କଂକ୍ରିଟ ନିର୍ମାଣ କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା ସ୍ପଷ୍ଟ କରିଛି ।





