ରାଜ୍ୟରେ ଦୁର୍ଘଟଣା ବଢ଼ୁଥିବା ବେଳେ, ଦୁର୍ଘଟଣା କୁ ଏଡାଇ ବାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ରାସ୍ତାଘାଟରେ ବେଆଇନ୍‍ ଭାବେ ଗାଡିମୋଟର ନ ରଖିବା ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ। ଏନେଇ ପୋଲିସ ପକ୍ଷରୁ ଜୋରିମାନା ଆଦାୟ କରାଯାଉଛି । ତେବେ କେତେକ ଅମାନିଆ ନିୟମ କୁ ଖାତିର ନ କରି ରାସ୍ତାଘାଟରେ ବେଆଇନ୍‍ ଭାବେ ଗାଡିମୋଟର ପାର୍କିଂ କରନ୍ତି । ତେବେ ଏନେଇ ପୁଲିସ ଜୋରିମାନା ଆଦାୟ କରେ । ତେବେ ଏଠି ପ୍ରଶ୍ନ ଉଠିଛି ପୋଲିସ ଯେତିକି ଅର୍ଥ ନେଉଛନ୍ତି ତାହାଠାରୁ ଅଧିକ ଅର୍ଥ ନେଉଛନ୍ତି ଗାଡିକୁ ଟାଣିନେଉଥିବା ଘରୋଇ ସଂସ୍ଥା ।

ଏଭଳି ଅଭିଯୋଗ ଆସିଛି ଖୋଦ୍‍ ରାଜଧାନୀରୁ । ରାଜଧାନୀର ରାସ୍ତାଘାଟରେ ଯଦି କୌଣସି ଗାଡି ବେଆଇନ୍‍ ଭାବେ ପାର୍କିଂ ହେଉଛି ତେବେ ତାହାକୁ ପୁଲିସ୍‍ ଉଠାଇ ନେଉଛି । ଘରୋଇ କ୍ରେନ ସହାୟତାରେ ଏହାକୁ ଟାଣି ଟାଣି ନିକଟସ୍ଥ ଥାନା କିମ୍ବା ଟ୍ରାଫିକ ଥାନା ପରିସରକୁ ନିଆଯାଉଛି । ଗାଡି ମାଲିକ ସେଠାକୁ ଯାଇ ଜୋରିମାନା ଗଣି ନିଜ ଗାଡିକୁ ଫେରାଇ ଆଣୁଛନ୍ତି । ତେବେ ବେଆଇନ୍‍ ପାର୍କିଂ ପାଇଁ କମିଶନରେଟ ପୁଲିସ୍‍ ପକ୍ଷରୁ ୫୦୦ ଟଙ୍କା ଜୋରିମାନା ଆଦାୟ ହେଉଥିବାବେଳେ ଗାଡିଟିକୁ କ୍ରେନ ସାହାଯ୍ୟରେ ଟାଣି ନେଇଥିବା ଘରୋଇ ସଂସ୍ଥାକୁ ୭୦୦ ଟଙ୍କାର ଭଡା ଗଣିବାକୁ ପଡୁଛି । ପୁଲିସ୍‍ କର୍ତ୍ତୃପକ୍ଷ ଦୁଇଟି ଯାକ ରସିଦ ଲୋକଙ୍କୁ ଧରାଇ ଦେଉଛନ୍ତି । ଏହା ଫଳରେ ଘରୋଇ ସଂସ୍ଥାର ଆଦାୟ ଅର୍ଥ ଏବେ ପୁଲିସ୍‍ ଠାରୁ ଅଧିକ ରହୁଥିବା ଲକ୍ଷ୍ୟ କରାଯାଉଛି ।

ଏ ସଂକ୍ରାନ୍ତରେ କିଛି ରାଜଧାନୀବାସୀ ମତ ଦେଇ କହିଛନ୍ତି ଯେ ଘରୋଇ ସଂସ୍ଥାର ବେପାର ବଢାଇବା ଅପେକ୍ଷା ପୁଲିସ୍‍ ବାବୁମାନେ ଯଦି ଗାଡି ନିକଟରେ ରସିଦ କାଟି ଜୋରିମାନା ଆଦାୟ କରନ୍ତେ ତେବେ ରାଜକୋଷକୁ ଅଧିକ ଅର୍ଥ ଆସିପାରନ୍ତା । ଏପରିକି ପୁଲିସ୍‍ ଓ ଘରୋଇ ସଂସ୍ଥାର ଅର୍ଥ ମିଶି ୧୨୦୦ ଟଙ୍କା ହେଉଥିବାବେଳେ ଗାଡି ନିକଟରେ ପୁଲିସ୍‍ ଯଦି ୧୦୦୦ ଟଙ୍କା ଜୋରିମାନା ଆଦାୟ କରନ୍ତା ତେବେ ଲୋକେ ତାହା ତୁରନ୍ତ ପଇଠ ସହିତ ଆଉ ହଇରାଣ ହରକତ ହୋଇ ଥାନାକୁ ଦୌଡନ୍ତେ ନାହିଁ । କାରଣ ନିଜ ପିଲାପିଲିଙ୍କୁ ଧରି ବଜାରକୁ ଯାଉଥିବା ଲୋକେ ଭଡାଗାଡିରେ ଥାନାକୁ ଯିବାର ଦୃଶ୍ୟ ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି ।

ଗୋଟିଏ ପଟେ ସ୍ମାର୍ଟସିଟି ଓ ବିଏମ୍‍ସି କର୍ତ୍ତୃପକ୍ଷ ରାସ୍ତା ଉପରେ ଗାଡି ପାର୍କିଂ କରି ଅର୍ଥ ଆଦାୟ କରୁଥିବାବେଳେ ଅନ୍ୟପଟେ ଯଦି କିଏ କେଉଁଠି ରାସ୍ତା ଉପରେ ଗାଡି ରଖୁଛି ଅର୍ଥ ଆଦାୟ ପାଇଁ ତାହାକୁ ଟାର୍ଗେଟ କରାଯାଉଛି ବୋଲି ପୁଲିସ୍‍ ଗାଡିଟଣାର ସମ୍ମୁଖୀନ ହୋଇ ଜୋରିମାନା ଗଣିଥିବା କିଛି ବ୍ୟକ୍ତି ମତ ଦେଇଛନ୍ତି । ସେମାନଙ୍କ ମତରେ ଯଦି ରାସ୍ତା ଉପରେ ଗାଡି ରଖିବା ମନା, ତେବେ ପ୍ରଥମେ ରାଜମହଲ-ଏଜି ଛକ ରାସ୍ତାରୁ ପାର୍କିଂ ବ୍ୟବସ୍ଥା ହଟାଯାଉ । ଏଠାରେ ସରକାରୀ ପାର୍କିଂ ଯୋଗୁଁ ଲୋକେ ନାନା ହୀନସ୍ତା ହେଉଛନ୍ତି ।

ତେବେ ଗାଡି ଟାଣି ଜୋରିମାନା ଆଦାୟ କରିବାରେ କମିଶନରେଟ ପୁଲିସ୍‍ର ତରିକା ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି ଅବସ୍ଥା ସୃଷ୍ଟି କରିଛି । ପୁଲିସ୍‍ ବାବୁମାନେ ନେଉଥିବା ଅର୍ଥ ସରକାରୀ ତହବିଲ୍‍କୁ ଯାଉଥିବା ରସିଦରେ ଉଲ୍ଲେଖ ଥିବାବେଳେ ଅବଶିଷ୍ଟ ଅର୍ଥ ଘରୋଇ ସଂସ୍ଥା ପକେଟକୁ ଯାଉଛି ।

ପ୍ରତିବର୍ଷ ଶେଷରେ କମିଶନରେଟ ପୁଲିସ୍‍ ନିଜର ଜୋରିମାନା ଆଦାୟ ଅର୍ଥର ବିବରଣୀ ପ୍ରକାଶ କରିଥାଏ । ତେବେ ଏହାରି ମଧ୍ୟରେ ଘରୋଇ ସଂସ୍ଥା ଏଥିରୁ କେତେ ରୋଜଗାର କରୁଛି ସେନେଇ କିଛି ବି ତଥ୍ୟ ପ୍ରକାଶ ପାଏ ନାହିଁ । ଯଦି ତଥ୍ୟ ପ୍ରକାଶ ପାନ୍ତା ବୋଧେ ବାସ୍ତବ ଚିତ୍ର ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । (ତଥ୍ୟ)