
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଶ୍ରୀନଗର ଲାଲ ଚୌକ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସେପଟେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀନଗରର ଲାଲ ଚୌକରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଏହାର ଶିକାର ହୋଇଥିଲେ।
ପ୍ରାୟ ୧୦ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଯବାନ ରହିଛନ୍ତି, ସେନେଇ ସୂଚନା ମିଳିପାରିନାହିଁ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରି ରହିଛନ୍ତି। ଏହା ସହ ସାମରିକ କାର୍ୟ୍ୟ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀମାନେ ଲାଲ ଚୌକ୍ ଉପରେ ଆକ୍ରମଣ କରିଥିଲେ। ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।