କୋର୍ଟରେ ହାଜର ହେଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋର୍ଟରେ ହାଜର ହେଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରୁ ଚାର୍ଟସିଟ ଦାଖଲ ହେବାପରେ ମାମଲାର ବିଚାର କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟକୁ ସ୍ଥାନାନ୍ତରୀତ ହୋଇଛି। ଆଜିଠାରୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମଙ୍କୁ ହାଜର କରାଯାଇଥିବାବେଳେ ନିଜ ଓକିଲ ମଧ୍ୟ ବଦଳାଇଛନ୍ତି ଗୋବିନ୍ଦ। ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଦୁର୍ଗା ପାଢ଼ୀ ଲଢ଼ୁଥିବା ବେଳେ ଗୋବିନ୍ଦ ସାହୁଙ୍କ ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀଙ୍କ କହିବା ଅନୁସାରେ ଗୋବିନ୍ଦ ସାହୁଙ୍କ ମାମଲାର ବିଚାର ଆଜିଠାରୁ କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ଆରମ୍ଭ ହୋଇଛି ।

ସେପଟେ ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଦିନ ମମିତା ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା । ପୁଲିସ ଅକ୍ଟୋବର ୧୫ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଥିଲା । ହେଲେ ଟିଟିଲାଗଡ ପୁଲିସ ବାରାକରୁ ଗୋବିନ୍ଦ ଫେରାର ମାରିଥିଲା । ପରେ ପୁଲିସ ୧୯ ତାରିଖ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା । ଆଉ ୨୦ ତାରିଖ କୋର୍ଟଚାଲାଣ କରିଥିଲା । ସେହିପରି ଗୋବିନ୍ଦକୁ ହତ୍ୟା ସମୟରେ ସହାୟତା କରିଥିବା ତାର ଡ୍ରାଇଭର ରାଧେକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଉଭୟ ଅଭିଯୁକ୍ତ ଏବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି ।

Related Posts