ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ମୁମ୍ବାଇ ପୁଲିସ ଅଟକ ରଖିଛି । ତେବେ ଜେଲରେ ଥିବା ଏନସିପି ନେତା ନବାବ ମଲ୍ଲିକଙ୍କ ଇସ୍ତଫା ଦାବି କରି ଦେବେନ୍ଦ୍ର ଫଡନାବିସ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । କିନ୍ତୁ ପୁଲିସ ତାଙ୍କୁ ମେଟ୍ରୋ ଜଙ୍କସନଠାରୁ ଆଗକୁ ଯିବାକୁ ଦେଇନଥିଲା ଏବଂ ଫଡନାବିସଙ୍କ ସହ ଅନ୍ୟ କିଛି ବିଜେପି ନେତାଙ୍କୁ ମୁମ୍ବାଇ ପୁଲିସ ଉଠାଇ ନେଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଦେବେନ୍ଦ୍ର ଫଡନାବିସ ଏବଂ ବିଜେପିର ଅନ୍ୟ ନେତାମାନେ ମିଶି ଏନ୍ସିପି ନେତା ନବାବ ମଲିକଙ୍କ ଇସ୍ତଫା ଦାବିରେ ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।
ଏହି କାରଣ ଯୋଗୁ ସେମାନଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କୁ ଅଟକ ରଖିବା ପରେ ମେଟ୍ରୋ ସିନେମା ନିକଟରେ ଲାଗିଥିବା ବ୍ୟାରିକେଡସ୍ ହଠାଇ ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲା ଯାଇଛି। ଅନ୍ୟପଟେ ନବାବ ମଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମୁମ୍ବାଇର ଅଣ୍ଡରୱାର୍ଲ୍ଡ ଡନ୍ ତଥା ପଳାୟନ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଓ ତାଙ୍କ ସମ୍ପର୍କୀୟ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପ୍ରଥମେ ନବାବଙ୍କୁ ପୁରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା।





