14 ଦିନରେ ପହଂଚିଛି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ । ରୁଷ ସେନା ୟୁକ୍ରେନରେ ଘନ ଘନ ମିସାଲଇ ଏବଂ ଗୁଳିଗୋଳା ବର୍ଷଣ କରି ଛାରଖାର କରିବାରେ ଲାଗିଛନ୍ତି । ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ।

ବୁଧବାର ରୁଷ ସୈନିକ ୟୁକ୍ରେନର ସହର ମାରିୟୁପୋଲରେ ଏକ ଶିଶୁ ହସ୍ପିଟାଲ୍‌ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ହସ୍ପିଟାଲ୍‌ ଧ୍ଵସ୍ତବିଧ୍ଵସ୍ତ ହୋଇ ଯାଇଛି। ନଗର ପରିଷଦ ବୁଧବାର ଏକ ଅନଲାଇନ ପୋଷ୍ଟରେ ଏହାର ସୂଚନା ଦେଇଛନ୍ତି। ୟୁକ୍ରେନର ସିଟି କାଉନସିଲ ବୁଧବାର କହିଛି, ରୁଷ ସୈନିକ ପିଲାଙ୍କ ହସ୍ପିଟାଲ୍ ଉପରେ ଅନେକ ବୋମା ମାଡ କରିଛି। ହସ୍ପିଟାଲ୍ ସଂପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି। ଏଥିରେ କାହାରି ମୃତାହତର କୌଣସି ସୂଚନା ନାହିଁ।

ସୂଚନାଯୋଗ୍ୟ, ରୁଷ ସେନା ୟୁକ୍ରେନର ଭିନ୍ନ ଭିନ୍ନ ସହରକୁ ଛାରଖାର କରି ସାରିଛି। ଏହା ମଧ୍ୟରେ ୟୁକ୍ରେନରେ ବନ୍ଦ ପଡିଥିବା ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ବିଜୁଳି ଯୋଗାଣ କରୁଥିବା ଗ୍ରୀଡ କ୍ଷତିଗ୍ରସ୍ତ ହୋଇଛି। ଜରୁରୀକାଳୀନ ଜେନେରେଟର ଜରିଆରେ ବିଜୁଳି ଯୋଗାଣ କରାଯାଉଛି। ଅଧିକାରୀ ଏହି ସୂଚନା ଦେଇଛନ୍ତି, ସିଷ୍ଟମର କୁଲିଂ ପାଇଁ ଡିଜେଲ୍ ଜେନେରେଟରରେ ୪୮ ଘଣ୍ଟା ପାଇଁ ଇନ୍ଧନ ରହିଛି। ଯଦି ଶୀଘ୍ର ବିଜୁଳି ଯୋଗାଣ ନହୁଏ ତେବେ ପ୍ଲାଣ୍ଟରୁ ବିକିରଣର ବିପଦ ରହିଛି।