ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ଛାଡ଼ିବା ପରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି ବିଦାୟୀ ଅଧିନାୟକ ବିରାଟ କୋହଲି । ତେବେ ଏବେ ସେ ଦଳରୁ ବିଦାୟ ନେବା ପରେ ତାଙ୍କ ବ୍ରାଣ୍ଡ୍ ମୂଲ୍ୟ ଦ୍ରୁତ ବେଗରେ ଖସିଚାଲିଛି। କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୦୨୦ରେ ୨୩୮ ମିଲିୟନ୍ ଡଲାର୍‌ ଥିବାବେଳେ ୨୦୨୧ରେ ଏହା ୧୮୬ ମିଲିଅନ୍‌ ଡଲାରକୁ ଖସି ଆସିଛି। କୋ‌ହଲି କିନ୍ତୁ ଲଗାତାର ପଞ୍ଚମ ବର୍ଷ ପାଇଁ ଭାରତର ଶ୍ରେଷ୍ଠ ସେଲିବ୍ରିଟି ବ୍ରାଣ୍ଡ୍ ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ରାଣ୍ଡ୍ ମୂଲ୍ୟ କିନ୍ତୁ ବଢ଼ି ୬୧ ମିଲିୟନ୍‌ ଡଲାରରେ ପହଞ୍ଚିଛି।

୨୦୨୦ ମସିହାର ନିରାଶାଜନକ ଆଇପିଏଲ୍‌ ଅଭିଯାନ ପରେ ଧୋନି ଏହି ଲିଗ୍‌ ଛାଡ଼ିଦେବେ ବୋଲି ଗୁଜବ ଉଠିଥିଲା। ଧୋନିଙ୍କ ନେତୃତ୍ବରେ କିନ୍ତୁ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଚତୁର୍ଥ ଥର ପାଇଁ ଟ୍ରଫି ଜିତିବା ପରେ ଚଳିତ ବର୍ଷ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି। ସଚିନ ତେନ୍ଦୁଲକରଙ୍କ ଭଳି ମହେନ୍ଦ୍ର ସିଂହ ଧୋନି ସୀମାହୀନ ବ୍ରାଣ୍ଡ୍‌ ବୋଲି ଡଫ୍‌ ଆଣ୍ଡ୍‌ ଫେଲ୍ପର ପରିଚାଳନା ନିର୍ଦ୍ଦେଶକ ଅଭିରାଲ ଜୈନ ପ୍ରକାଶ କରିଛନ୍ତି।

ଅନ୍ୟପଟେ, ସମସ୍ତ ଫର୍ମାଟ ଅଧିନାୟକ ପଦରୁ ଓହରିଯିବା ସହିତ କୋହଲି ବିବାଦ ଭିତରେ ରହିବାରୁ ବ୍ରାଣ୍ଡ ମୂଲ୍ୟ ହ୍ରାସ ପାଇବା ଅନ୍ୟତମ କାରଣ ବୋଲି ଜଣାପଡ଼ିଛି। କୋହଲି ଭାରତୀୟ ବ୍ରାଣ୍ଡ୍ ମୂଲ୍ୟ ତାଲିକାରେ ଶୀର୍ଷରେ ରହିଥିବା ବେଳେ ବଲିଉଡ୍‌ ତାରକା ରଣବୀର୍ ସିଂହ (୧୫୮ ମିଲିୟନ୍ ଡଲାର) ଦ୍ବିତୀୟକୁ ଉଠିଛନ୍ତି। ଅକ୍ଷୟ କୁମାର (୧୪୦) ତୃତୀୟକୁ ଖସି ଆସିଛନ୍ତି। ଶାହାରୁଖ୍‌ ଖାନଙ୍କୁ ପଛରେ ପକାଇ ‘ଗଙ୍ଗୁଭାଇ କଠିଆବାଡ଼ି’ ଅଭିନେତ୍ରୀ ଆଲିଆ ଭଟ୍ଟ (୬୮) ଚତୁର୍ଥକୁ ଉଠି ୨୦୨୧ର ସବୁଠୁ ମୂଲ୍ୟବାନ ମହିଳା ସେଲିବ୍ରିଟି ହୋଇଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ (୨୨) ୨୦ତମ ସ୍ଥାନରେ ରହିଛନ୍ତି।