ବିଶ୍ରାମ ପରେ ବିରାଟଙ୍କ ବ୍ୟାଟ୍‌ରୁ ଆଉ ଏକ ଶତକ; ସଚିନଙ୍କ ବିଶ୍ଵ ରେକର୍ଡର ହେଲେ ସମକକ୍ଷ

ଭୁବନେଶ୍ୱର,୧୦/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କିଛି ଦିନ ବିଶ୍ରାମ ନେବା ପରେ ପୁଣି ଚମତ୍କାର ଫର୍ମରେ ନଜର ଆସିଛନ୍ତି। ତେବେ କିଛି ନିଜର ଲୟ ଫେରିବା ପରଠୁ ତାଙ୍କ ବ୍ୟାଟ୍‌ରୁ ରନ ବର୍ଷା ଦେଖିବାକୁ ମିଳୁଛି। ଏହି କ୍ରମରେ ବିରାଟ କୋହଲି ଦିନିକିଆରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଗତ ମାସରେ ଖେଳା ଯାଇଥିବା ଦିନିକିଆରେ କୋହଲି ଶତକୀୟ ଇନିଂସ ଖେଳିଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଛନ୍ତି। ଭାରତୀୟ ଦଳ ଆଜିଠାରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆରେ ୭ ଓ୍ଵିକେଟ୍ ହରାଇ ୩୭୩ ରନର ବିଶାଳ ସ୍କୋର କରିଛି।

ତେବେ ବିରାଟ କୋହଲି ଆଜିର ମୁକାବିଲାରେ ୮୦ ବଲ୍‌ରୁ ଦିନିକିଆ କ୍ୟାରିୟରରେ ୪୫ତମ ଶତକ ଅର୍ଜନ କରିଛନ୍ତି। ଏବେ ବିରାଟ କୋହଲିଙ୍କ ଟାର୍ଗେଟ୍‌ରେ ସଚିନ ତେନ୍ଦୁଲକରଙ୍କ ବିଶ୍ଵ ରେକର୍ଡ ଭାଙ୍ଗିବା ଉପରେ ରହିଛି। ସଚିନ ତେନ୍ଦୁଲକର ଦିନିକିଆରେ ୪୯ ଶତକ ହାସଲ କରିଥିବା ବେଳେ ବିରାଟ କୋହଲିଙ୍କ ଶତକ ସଂଖ୍ୟା ୪୫ରେ ପହଞ୍ଚିଛି।

ସେପଟେ ଆଜିର ଶତକ ପରେ ବିରାଟ କୋହଲି କୌଣସି ଦେଶ ବିପକ୍ଷରେ ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ବିରାଟ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ୯ମ ଶତକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ହାସଲ କରିଥିଲେ।

ସେହିପରି ବିରାଟ କୋହଲି ଭାରତରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ବିରାଟ କୋହଲି ଏହି ଉପଲବ୍ଧି କମ ଇନିଂସରେ ହାସଲ କରିଛନ୍ତି। ବିରାଟ ମାତ୍ର ୯୯ଟି ଇନିଂସରେ ୨୦ ଶତକ ଅର୍ଜନ କରିଥିବା ବେଳେ ସଚିନ ତେନ୍ଦୁଲକର ୧୬୦ଟି ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ।

Related Posts