ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆକ୍ସନ ମୋଡରେ ଇଡି । ତେବେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ଓ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ସମ୍ପକୀୟଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଇଡି ଜବତ କରିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଇଟି ଭିନ୍ନ ଭିନ୍ନ ମାମଲାରେ ସମ୍ପତ୍ତି ଜବତ କରାଯାଇଥିବାର ସୂଚନା ମିଳିଛି । ତେବେ ପ୍ରଥମ ମାମଲା ପାତ୍ର ଚୌଲ ଜମି ଘୋଟାଲା ସହ ଜଡିତ। ଏଥିରେ ଇଡି ୧୧କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିବା ବେଳେ ଏଥିମଧ୍ୟରୁ ୯କୋଟି ମୂଲ୍ୟର ସମ୍ପତ୍ତି ସଞ୍ଜୟ ରାଉତଙ୍କ ବନ୍ଧୁ ପ୍ରବୀଣ ରାଉତଙ୍କର ବୋଲି ଜଣାପଡ଼ିଛି। ଏଥି ସହିତ, ୨ କୋଟିର ସମ୍ପତ୍ତି ସଞ୍ଜୟ ରାଉତଙ୍କ ପତ୍ନୀଙ୍କର ବୋଲି କହିଛି ଇଡି।

ଏଥିରେ ଅଲିବାଗରେ ଥିବା ପ୍ଲଟ ଏବଂ ଦାଦରରେ ଥିବା ଫ୍ଲାଟ ଅନ୍ତର୍ଭୁକ୍ତ। ଦ୍ୱିତୀୟ ମାମଲା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ପରିବାର ସହ ଜଡିତ ଥିବା ବେଳେ ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଏହି ମାମଲା ଅର୍ଥ ହେରଫେର ସହିତ ଜଡିତ। ଇଡି ପକ୍ଷରୁ କୁହାଯାଇଛି ଯେ, ଜୈନଙ୍କ ପରିବାରର ସଦସ୍ୟମାନେ ଏପରି କିଛି କମ୍ପାନି ସହିତ ଜଡିତ ଥିଲେ, ଯେଉଁ କମ୍ପାନି ବିରୋଧରେ ଅର୍ଥ ହେରଫେର ମାମଲା ରହିଛି। ଅକିଞ୍ଚନ ଡେଭେଲପର୍ସ,ଇଣ୍ଡୋମେଟାଲ୍ ଇଂପ୍ଲେକ୍ସ, ପ୍ରୟାସ ଇନଫୋ ସଳ୍ୟୁସନ୍ସ,ମଙ୍ଗଲାୟତନ ପ୍ରୋଜେକ୍ଟସ, ଜେଜେ ଆଇଡିଆଲ୍ ଇଷ୍ଟେଟସ୍ ଆଦି କମ୍ପାନିର ଅସ୍ଥାବର ସଂପତ୍ତି ଜବତ କରିଛି ଇଡି। ଏ ଘଟଣାଟି ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।