
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ଚାଣକ୍ୟ ଭାବରେ ପରିଚିତ ସ୍ୱର୍ଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ କଂଗ୍ରେସ ଛାଡିବାକୁ ନେଇ ସୂଚାଇ ଦେଇଛନ୍ତି। ସେ ଏନେଇ ଏକ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । ତେବେ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ଅପେକ୍ଷା କରି ଥକି ଯାଇଛି। ହାଇ କମାଣ୍ଡରୁ କୌଣସି ପ୍ରୋତ୍ସାହନ ନାହିଁ । ମୁଁ ମୋର ବିକଳ୍ପଗୁଡ଼ିକୁ ଖୋଲା ରଖୁଛି ବୋଲି ଫୈଜଲ ପଟେଲ କହିଛନ୍ତି । ସେପଟେ ସାମ୍ପ୍ରତିକ ପରିସ୍ଥିତିରେ, ତାଙ୍କର ଏହି ମନୋଭାବ କଂଗ୍ରେସ ନେତୃତ୍ୱ ପାଇଁ ଏକ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ । କାରଣ ନିକଟରେ ଅନେକ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଫୈଜଲ ଯଦି ଦଳ ଛାଡ଼ନ୍ତି ତାହାଲେ ଦଳକୁ ଆହୁରି କ୍ଷତି ସହିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଗତ ବର୍ଷଠାରୁ ଫୈଜଲ ପଟେଲ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏପ୍ରିଲ୍ ୨୦୨୧ ରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ।
ସେ ସୋସିଆଲ ମିଡିଆରେ ସଭାର ଚିତ୍ର ସେୟାର କରି ଲେଖିଥିଲେ ଯେ ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇଛି। ସେ ଦିଲ୍ଲୀରେ ରୁହନ୍ତି ଏବଂ କେଜ୍ରିୱାଲଙ୍କ କାର୍ଯ୍ୟ ଶୈଳୀର ଜଣେ ପ୍ରଶଂସକ ଅଟନ୍ତି ବୋଲି କହିଥିଲେ । ସେପଟେ ଫୈସଲ ପଟେଲଙ୍କ ପିତା ଅହମ୍ମଦ ପଟେଲ ଦୀର୍ଘ ଦଶନ୍ଧି ଧରି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଥିଲେ ଏବଂ ସୋନିଆ ଗାନ୍ଧୀଙ୍କ ନିକଟତର ହୋଇଥିଲେ। ନଭେମ୍ବର ୨୦୨୦ରେ କରୋନା କାରଣରୁ ଅହମ୍ମଦ ପଟେଲଙ୍କର ମୃତ୍ୟୁ ହୋଇଥିଲା । ତେବେ ଫୈସଲ ତାଙ୍କ ଟ୍ୱିଟରେ ହାଇକମାଣ୍ଡଙ୍କ ପାଖରୁ କେଉଁ ସାହାଯ୍ୟ ଆଶା କରୁଛନ୍ତି ସେନେଇ କିଛି ଉଲ୍ଲେଖ କରିନାହାଁନ୍ତି। ପୂର୍ବରୁ ଫୈସଲ ପଟେଲ କହିଥିଲେ, ‘ଯଦି ହାଇକମାଣ୍ଡ ଚାହାଁନ୍ତି, ତେବେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି। ମୋର ପସନ୍ଦ ଗୁଜୁରାଟର ଭରୁଚ ଅଞ୍ଚଳ ବୋଲି କହିଥିଲେ । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।