ଭୁବନେଶ୍ୱର: ବିଏମସିକୁ ଟାର୍ଗେଟ୍ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ | ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଘଟଣାକୁ ନେଇ ବିଏମସିକୁ ଟାର୍ଗେଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ବିକାଶ ନୁହେଁ ବିନାଶରୁ କାମ ଆରମ୍ଭ ହୋଇଛି । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଗଣମାଧ୍ୟମ ଆଗରେ ଏପରି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି, ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବା କଥା । ଏପ୍ରସଙ୍ଗରେ ସେ ବିଏମ୍ସିକୁ ଚିଠି ଲେଖିବେ ବୋଲି କହିଛନ୍ତି । ବ୍ୟବସାୟ କରିବା ପାଇଁ କ୍ଷତିଗ୍ରସ୍ତଙ୍କୁ ଜାଗା ଦେବାକୁ ସେ ଦାବି କରିବେ । ୪୩୦ ଲୋକଙ୍କୁ ରାତାରାତି ବାସଚ୍ୟୁତ କରାଗଲା। ସେମାନେ ଜୀବୀକା ହରାଇଲେ। ଭୁବନେଶ୍ୱର ବିକାଶ ହେଉ, ସୁନ୍ଦର ଦେଖାଯାଉ ଏହା ସମସ୍ତଙ୍କ ଦାୟିତ୍ୱ, କର୍ତ୍ତବ୍ୟ। କିନ୍ତୁ ବିକାଶ, ସୌନ୍ଦର୍ଯ୍ୟକରଣ କଥା ଉଠିଲେ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା। ନୂଆ ମହାନଗର ନିଗମ ଆସିଛି। ସକରାତ୍ମକ ବିଚାରଧାରା ନେଇ କାମ କରିବା କଥା। ଆମେ ସମର୍ଥନ କରିବାକୁ ପ୍ରସ୍ତୁତ ।
ସେ କହିଛନ୍ତି, ସଂସଦ ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରରେ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଭୟଭୀତ ହୋଇ ସଂପୂର୍ଣ୍ଣ ହାଟକୁ ଉଚ୍ଛେଦ କରାଯାଇଛି । ସମୟ ନଦେଇ ଦୋକନ ଭାଙ୍ଗି ଦିଆଯାଇଥିଲା ବୋଲି ବ୍ୟବସାୟୀ ଅଭିଯୋଗ କରିଥିଲେ । ଆସନ୍ତା ୭ ଦିନ ଭିତରେ ସେମାନଙ୍କୁ ବିକଳ୍ପ ଜାଗା ଦେଖାନ୍ତୁ । ଆମେ ସେ ଜାଗା ଦେଖିବୁ । ହେଲେ ଏପରି ଜାଗା ଦେଖାଇବେ, ଯେଉଁଠି ବେପାର ହେବ । ଏହି ଗରୀବ ଲୋକଙ୍କ ଦୋକାନ ଉଜାଡ଼ି ଦେଲା ବିଏମସି। ତେଣୁ ଥଇଥାନ ସହ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।
ବର୍ଷେ ତଳେ ମୁଁ ଏଠାକୁ ଆସିଥିଲି। ଗୋଟିଏ ଚିଠି କମିଶନରଙ୍କୁ ଦେଇ ଏହି ହାଟକୁ ଭଙ୍ଗା ନ ଯାଉ ବୋଲି ଅନୁରୋଧ କରିଥିଲି । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଥିଲି। ମୁଁ ଆସିବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ମୁଁ ଦିଲ୍ଲୀରେ ଥିବା ବେଳେ ଏହି କାମ କାହିଁକି ହେଲା। ମୁଁ ଏଠାକାର ସାଂସଦ ହୋଇଥିବା ବେଳେ ମୋ ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେନି। କାହିଁକି ମୋ ସହ ଆଲୋଚନା କଲେନି। ଏଠାକାର ଦୋକାନୀଙ୍କ ସହ ଆଲୋଚନା ନ କରି ରାତାରାତି କାହିଁକି ଏପରି କାଣ୍ଡ ଘଟାଗଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
ସମସ୍ତଙ୍କ ଅଧିକାରକୁ ମୁଁ ସମ୍ମାନ ଦେଉଛି। ମୋ ଅଧିକାରକୁ ମଧ୍ୟ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ । ମୁଁ ଏଠାକାର ସାଂସଦ । ଆଜି ରାତି ସୁଦ୍ଧା ୪୩୦ କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇ ବିଏମସିକୁ ଦିଆଯିବ । ଏଥିସହ ୩ ଦାବି ସମ୍ପର୍କରେ ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ ରହିବ । ଏହି ଚିଠିକୁ ସାର୍ବଜନୀନ ହେବ । ବିଏମସିର ପ୍ରଥମ ମହାନଗର ନିଗମ ମିଟିଂରେ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
