ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ କଲବଲ ହେଉଛନ୍ତି ରାଜ୍ୟ ବାସୀ । ତେବେ ଏହାରି ମଧ୍ୟରେ ଏକ ବିଶ୍ଵସ୍ତକର ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଏନେଇ ଆକଳନ କରିଛି ।

ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ସ୍ୱାଭାବିକ ରହିବ । ଚଳିତ ବର୍ଷ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଲା-ନିନା ସ୍ଥିତି ଯୋଗୁ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର- ଏହି ୪ ମାସରେ ମୌସୁମୀ ବର୍ଷାର ହାରାହାରି ପରିମାଣ ୯୯ ପ୍ରତିଶତ ରହିବ । ସାମାନ୍ୟ ବର୍ଷା ୪୦ ପ୍ରତିଶତ, ଅଧିକ ବର୍ଷା ୧୫ ପ୍ରତିଶତ ଏବଂ ଅତ୍ୟଧିକ ବର୍ଷା ୫ ପ୍ରତିଶତ ହେବାର ସମ୍ଭାବନା ରହିଛି । ସାମାନ୍ୟଠାରୁ ବର୍ଷାର ପରିମାଣ ୨୬ ପ୍ରତିଶତ କମ୍‌ ରହିଛି । ଆଇଏମ୍‌ଡିର ଆକଳନ ଅନୁଯାୟୀ, ଲଦାଖ ଏବଂ ରାଜସ୍ଥାନର କିଛି ଅଞ୍ଚଳ ଛାଡିଦେଲେ ପୂର୍ବ ଉତ୍ତର ଏବଂ ମଧ୍ୟ ଭାରତରେ ସାମାନ୍ୟ ବା ସାମାନ୍ୟଠାରୁ ଅଧିକ ବର୍ଷା ହୋଇପାରେ। ପୂର୍ବୋତ୍ତର ରାଜ୍ୟ ଏବଂ ତାମିଲନାଡୁରେ କମ ବର୍ଷା ହୋଇପାରେ । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ ବର୍ଷାର ସମ୍ଭାବନା ରହିଛି ।

ଭଲ ବର୍ଷା ଅପେକ୍ଷାରେ ଥିବା କୃଷି ଏବଂ ଅନ୍ୟ କ୍ଷେତ୍ର ପାଇଁ ଆଶା ସଂଚାର ହୋଇଛି । ସ୍ବାଭାବିକ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଭଲ ଖବର । ଭାରତୀୟ ପାଣିପାଗ ବିଭାଗ ସହ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ମଧ୍ୟ ସ୍ବାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି । ଗତ ଦୁଇ ବର୍ଷ ଧରି ଦେଶରେ ସ୍ବାଭାବିକ ବର୍ଷା ହୋଇଥିଲା । ଏବେ ଲଗାତାର ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରାଯାଉଛି । ମେ ମାସ ଶେଷ ସପ୍ତାହରେ ମୌସୁମୀ ବର୍ଷା ନେଇ ଆଉଥରେ ପୂର୍ବାନୁମାନ ଜାରି କରିବ ଭାରତୀୟ ପାଣିପାଗ ବିଭାଗ।

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗି ଛି। ଅସହ୍ୟ ଗରମ ରେ କଲବଲ ହେଉଛନ୍ତି ରାଜ୍ୟ ବାସୀ । ଏହାରି ମଧ୍ୟରେ ଆଜି ସାରା ଦେଶରେ ସୋନପୁର ସବୁଠାରୁ ଉତପ୍ତ ପାଲଟିଛି । ଏହାଛଡ଼ା ଆଜି ରାଜ୍ୟର ୧୬ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ଅନୁୁଗୁଳରେ ୪୧.୭ ଡିଗ୍ରୀ, ବାରିପଦାରେ ୪୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସମ୍ୱଲପୁରରେ ୪୦.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ତାଳଚେରରେ ୪୧.୮ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।

Related Posts