ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ, ଯୁଦ୍ଧକୁ ଆଉ କିଛି ଦିନ ଗଲେ ୨ ମାସ ପୁରିବ | ଅନେକ ଦେଶର ହସ୍ତକ୍ଷେପ ସତ୍ତେ୍ୱ ଋଷ – ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ନେଉନି । ଏହାମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ କହିଛନ୍ତି ଯେ, ଋଷ ସେନା ୟୁକ୍ରେନର ଦୋନେସ୍କ ଓ ଖେରସନ ଅଞ୍ଚଳରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ।
ସେହିପରି ଜେଲେନସ୍କିଙ୍କୁ ଭେଟିବା ପାଇଁ ଆମେରିକା ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଚିନ୍ତା କରିବାକୁ ପଡୁଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କ କିଭ ପଠାଇବାକୁ ଚିନ୍ତା କରୁଛି । ଅପରପକ୍ଷେ ଯୁଦ୍ଧ ୫୦ତମ ଦିନରେ ରାଷ୍ଟ୍ରପତି ପୁଟିନ୍ ନାଟୋ ଦେଶମାନଙ୍କୁ ଖୋଲଖୋଲି ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, କୌଣସି ନାଟୋ ଦେଶ ହୁଅନ୍ତୁ ବା ଆଉ କୌଣସି ରାଷ୍ଟ୍ର୍ର ୟୁକ୍ରେନକୁ ସାହାଯ୍ୟ କରନ୍ତି ତାହାଲେ ତାକୁ ବର୍ବାଦ କରିଦେବୁ । ଏହାସହ ସେ ଦେଶର ଯାନବାହାନ ଓ ଅସ୍ତ୍ରଶସ୍ତ୍ର ସବୁ ନଷ୍ଟ କରିଦେବାକୁ ପୁଟିନ୍ ଧମକ ଦେଇଛନ୍ତି ।
ଅନ୍ୟପଟେ, ରୁଷ୍ ଏକ କଡ଼ା ଚେତାବନୀ ଦେଇ କହିଛି ଯଦି ଫିନଲାଣ୍ଡ୍ ଏବଂ ସ୍ବିଡେନ୍ ନାଟୋରେ ଯୋଗ ଦିଅନ୍ତି ତେବେ ବାଲ୍ଟିକ୍ ସାଗର ଅଞ୍ଚଳରେ ପରମାଣୁ ଅସ୍ତ୍ର ମୁତୟନ ହେବ। ଫିନ୍ଲାଣ୍ଡ୍ ଏବଂ ସ୍ବିଡେନ୍ ଯଦି ଉତ୍ତେଜନା ବୃଦ୍ଧିର କାରଣ ହେବେ ଏବଂ ରୁଷ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ ତା’ହେଲେ ବାଲଟିକ୍ ପାଇଁ ଅଣ ପରମାଣୁ ଷ୍ଟାଟସ୍ ବାଦରେ କୌଣସି କଥାବାର୍ତ୍ତା ହୋଇପାରିବନି ବୋଲି ରୁଷ୍ ସୁରକ୍ଷା ପରିଷଦର ଉପମୁଖ୍ୟ କହିଛନ୍ତି। ସ୍ବିଡେନ୍ ଏବଂ ଫିନଲାଣ୍ଡ୍ ନାଟୋରେ ଯୋଗ ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ରୁଷ୍ ଇଜ୍କାନ୍ଦର କ୍ଷେପଣାସ୍ତ୍ର, ହାଇପରସୋନିକ୍ ଅସ୍ତ୍ର ଏବଂ ପରମାଣୁ ଅସ୍ତ୍ର ସଂପନ୍ନ ଯୁଦ୍ଧ ଜାହାଜ ବାଲଟିକ୍ ସାଗର ଅଞ୍ଚଳରେ ମୁତୟନ କରିବ ଏବଂ ନିଜର ସୁରକ୍ଷା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ରୁଷ୍ ୟୁକ୍ରେନ୍ରେ ଆକ୍ରମଣ କରିବାପରେ ଫିନଲାଣ୍ଡ୍ ଏବଂ ସ୍ବିଡେନ୍ ଚଳିତ ସପ୍ତାହରେ ନାଟୋର ସୁରକ୍ଷା ହାସଲ ପାଇଁ ବିଚାରବିମର୍ଶ କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ରୁଷ୍ର ପଶ୍ଚିମ ଭାଗରେ ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି।
