ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କମିସନରେଟ ପୁଲିସକୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ତେବେ ପୁଲିସ ଗିରଫ କରୁଛି ସିନା, କିନ୍ତୁ ଠିକଣା ସମୟରେ ଚାର୍ଜସିଟ୍ ଦାଖଲ କରିପାରୁନି କମିସନରେଟ୍ ପୁଲିସ। ବିଳମ୍ବିତ ଚାର୍ଜସିଟ୍ ଯୋଗୁଁ ଅଭିଯୁକ୍ତମାନେ ଜେଲ୍ରୁ ବାହାରି ପୁଣି ଆତଙ୍କରାଜ ସୃଷ୍ଟି କରୁଛନ୍ତି। ଶେଷରେ ବାଧ୍ୟ ହୋଇ ସାକ୍ଷୀମାନେ ଜୀବନ ରକ୍ଷା କରିବାକୁ କୋର୍ଟରେ ବୟାନ ବଦଳାଉଛନ୍ତି। ଏଭଳି ବେପାରୁଆ ବ୍ୟବସ୍ଥା ରାଜଧାନୀରେ ଅପରାଧୀମାନଙ୍କ ପାଇଁ ବରଦାନ ପାଲଟିଛି। ଗୋଟିଏ ଅପରାଧ ଘଟାଇବା ପରେ ମଧ୍ୟ ଜାମିନରେ ଆସି ପୁଣି ବାରମ୍ବାର ଅପରାଧ ଘଟାଉଛନ୍ତି। ଯେଉଁଥିପାଇଁ କମିସନରେଟ୍ ପୁଲିସ ହାତରୁ ଆଇନ ଶୃଙ୍ଖଳା ଧୀରେ ଧୀରେ ଖସିବାରେ ଲାଗିଛି। କମିସନରେଟ୍ ପୁଲିସ ଗତକାଲି ଜାରି କରିଥିବା ୨୦୨୧ ମସିହାର ରିପୋର୍ଟରୁ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ମସିହାରେ ଭୁବନେଶ୍ବରର ବିଭିନ୍ନ ଥାନାରେ ମୋଟ ୯୨୬୫ଟି ଆପରାଧିକ ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୪୨ପ୍ରତିଶତ ଅର୍ଥାତ୍ ୩୯୬୫ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିବାରେ ସମର୍ଥ ହୋଇଛି।
ସେପଟେ ହତ୍ୟା, ଡକାୟତି, ଦୁଷ୍କର୍ମ, ଦଙ୍ଗା, ସିନ୍ଧିଚୋରି ଭଳି ସଙ୍ଗିନ ଆପରାଧିକ ମାମଲାରେ ହିଁ କମିସନରେଟ୍ ପୁଲିସ ଚାର୍ଜସିଟ୍ ଦାଖଲ କରିବାରେ ପଛୁଆ ରହିଛି। ୨୦୨୧ରେ ମୋଟ ୪୭ଟି ହତ୍ୟାକାଣ୍ଡ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୧ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଅର୍ଥାତ୍ ପ୍ରାୟ ୭୭ପ୍ରତିଶତ ମାମଲାରେ କମିସନରେଟ୍ ପୁଲିସ ଚାର୍ଜସିଟ୍ ଦାଖଲ ନ କରିବା କାରଣରୁ ହତ୍ୟାକାରୀମାନେ କୋର୍ଟରୁ ଜାମିନ୍ରେ ବାହାରିଛନ୍ତି। ସେହିଭଳି ୧୧୨ଟି ଦୁଷ୍କର୍ମ ମାମଲାରୁ ପ୍ରାୟ ୫୫ ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇନଥିବା ବେଳେ ୭୩ ପ୍ରତିଶତ ଦଙ୍ଗା ମାମଲାରେ ବି ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି। ସେହିପରି ଠକେଇ ମାମଲାରେ ବି ପୁଲିସ ଚାର୍ଜସିଟ୍ ଦାଖଲ କରିବାରେ ସବୁଠୁ ନୈରାଶ୍ୟଜନକ ସ୍ଥିତିରେ ରହିଛି। ୨୦୨୧ରେ ମୋଟ ୮୭୯ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୭୯ଟିରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ। ଯାହା ହେଉଛି ମାତ୍ର ୨୦ପ୍ରତିଶତ। ଅର୍ଥାତ୍ ୮୦ପ୍ରତିଶତ ଠକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ନ କରି ଖସିଯିବାକୁ ସୁଯୋଗ ଦେଇଛି। କେବଳ ଏତିକି ନୁହେଁ, ଛିନ୍ତାଇ, ଚୋରି, ସିନ୍ଧିଚୋରି, ଡକାୟତି ଭଳି ସଙ୍ଗୀନ ମାମଲାରେ ମଧ୍ୟ କମିସନରେଟ୍ ପୁଲିସ ସମାନ ସ୍ଥିତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
