ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କବଜାରେ ଝାଡଖଣ୍ଡର ଖଣି ସଚିବ ପୂଜା ସିଙ୍ଗଲଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ(CA) ସୁମନ କୁମାର ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜେରା କରିବା ପରେ ଗିରଫ କରିଛନ୍ତି ।

ଦୀର୍ଘ 36 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଅପରେସନ । ଝାଡଖଣ୍ଡରୁ ଏହା ହେଉଛି ପ୍ରଥମ ଗିରଫଦାରୀ ଘଟଣା । ସୁମନଙ୍କୁ ଗିରଫ କରାଯିବା ପରେ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ ଜେଲକୁ ପଠାଯାଇଥିଲା । ଦୀର୍ଘ 36 ଘଣ୍ଟା ଧରି ତାଙ୍କ ଘରେ ଚଢାଉ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ ହୋଇଛି ।

ଝାଡଖଣ୍ଡର ଖଣି ଏବଂ ଶିଳ୍ପ ବିଭାଗର ସଚିବ ପୂଜା ସିଙ୍ଗଲଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ ସୁମନ କୁମାରଙ୍କୁ ଇଡି ପ୍ରାୟ 150 କୋଟି ଇନଭେଷ୍ଟମେଣ୍ଟ ଦଲିଲ ସହିତ ଘରୁ ଜବତ ହୋଇଥିବା ପ୍ରାୟ 19.31 କୋଟି ଟଙ୍କା ସମ୍ପର୍କରେ ଦୀର୍ଘ 16 ଘଣ୍ଟା ଧରି ପଚରା ଉଚରା କରିଥିଲା । ପରେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ସୁମନ କୁମାରଙ୍କ ଭାଇ ପୱନ କୁମାରଙ୍କୁ ପଚରା କରାଯାଇଥିଲେ ସୁଦ୍ଧା ଇଡି ତାଙ୍କୁ ଗିରଫ କରିନାହିଁ ।

ସୂଚନା ଅନୁସାରେ ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ ସୁମନ କୁମାର ସିଂ ବିହାରର ସାହାରାର ବାସିନ୍ଦା ଏବଂ ସେ ପୂଜା ସିଙ୍ଗଲ ଏବଂ ତାଙ୍କ ସ୍ୱାମୀଙ୍କ ସମସ୍ତ ଅର୍ଥନୈତିକ କାର୍ଯ୍ୟ ଦେଖୁଥିଲେ । 16 ଘଣ୍ଟା ପଚରାଉଚରା ପରେ ଇଡି ସୁମନ କୁମାରଙ୍କୁ ଗିରଫ କରିଛି । ତେବେ ସୁମନ କୁମାରଙ୍କ ବିରୋଧରେ କେଉଁ ମାମଲା ପଞ୍ଜୀକୃତ ହୋଇଛି, ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହିଁ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇ ନାହିଁ ।

କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ ଘରୁ 19.31 କୋଟି ଟଙ୍କା ଏବଂ ନିବେଶ ସମ୍ପର୍କିତ 150 କୋଟି ଟଙ୍କାର ବିଭିନ୍ନ ଦଲିଲ ଜବତ ହୋଇଛି ।