ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ନିଜ କ୍ୟାବିନେଟର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ କିମ୍ବା ପୁନର୍ଗଠନ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏ ସମ୍ପର୍କରେ ନିଜର ନିଷ୍ପତ୍ତି ଜଣାଇବେ ଏବଂ ଯେକୌଣସି ସମୟରେ କିଛି ବି ହୋଇପାରେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଗତ ଦିନରେ ରାଜ୍ୟରେ ଘଟି ଯାଇଥିବା ଘଟଣା ଉପରେ ଆଧାର କରି ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ‘ମୁଁ ଅମିତ ଶାହାଙ୍କୁ ସାକ୍ଷାତ କରି ତାଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଛି। ରାଜ୍ୟ କ୍ୟାବିନେଟ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଛି।

ରାଜନୈତିକ ପରିସ୍ଥିତି ଏବଂ କ୍ୟାବିନେଟ୍‌ ସଂପର୍କରେ ନିଷ୍ପତ୍ତି ନେବାର ଆବଶ୍ୟକତା ପ୍ରସଙ୍ଗରେ ମୁଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଛି’ ବୋଲି ବୋମାଇ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଶାହା କହିଛନ୍ତି ଯେ ସେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ଦଳର ଅନ୍ୟ କେନ୍ଦ୍ରୀୟ ନେତାଙ୍କ ସହ କଥା ହେବେ ଏବଂ ଉପଯୁକ୍ତ ନିଷ୍ପତ୍ତି ନେବେ। ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଆମେ ନିଷ୍ପତ୍ତି ନେବୁ ଏବଂ ଯୋଗାଯୋଗ କରିବୁ, ସେ (ଶାହା) ମୋତେ ଏହା କହିଛନ୍ତି।