ଭୁବନେଶ୍ବର: ବିମାନରେ ଦୁର୍ବ୍ୟବହାର ଶିକାର ହେଲେ ନାରିଶକ୍ତି ପୁରସ୍କାର ବିଜେତା ବିଶିଷ୍ଟ ସାମାଜିକ କର୍ମୀ ସୃତି ମହାପାତ୍ର । ଏନେଇ ସେ ଅଭିଯୋଗ କରିଛନ୍ତି । ବୁଧବାର ସୃତି ମହାପାତ୍ର ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ବେଳେ ହାଇଦ୍ରାବାଦ ବିମାନ ବନ୍ଦରରେ ଏୟାର ଲାଇନ୍ସ କର୍ମଚାରୀ ଓ CISF କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ସେ ଟ୍ବିଟ କରି ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆ ପୋଷ୍ଟରେ ସୃତି ମହାପାତ୍ର କହିଛନ୍ତି, “ହାଇଦ୍ରାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନରେ ତାଙ୍କୁ ଏକ ଆଇଲ ସିଟ୍ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ସେ ଆପତ୍ତି ଉଠାଇବା ସହ ବିମାନ କର୍ମଚାରୀଙ୍କ ସହଯୋଗ ମାଗିଥିଲେ । ତେବେ ସେ ନିରାଶ ହେବା ପରେ ଘଟଣା ନେଇ CISF କୁ ଅଭିଯୋଗ କରିବା ସହ ସହଯୋଗ ମାଗିଥିଲେ ମଧ୍ୟ CISF କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ସହାୟତା ପରିବର୍ତ୍ତେ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା ।”

CISF କର୍ମଚାରୀଙ୍କ ବ୍ୟବହରରେ ତୀବ୍ର ଆପତ୍ତି ଉଠାଇବା ସହ ବିମାନ ଯାତ୍ରା ବେଳେ ଭିନ୍ନକ୍ଷମ ଯାତ୍ରୀଙ୍କ ସ୍ବାଭିମାନ ଓ ସୁରକ୍ଷା ପ୍ରତି ସେମାନେ ଯତ୍ନଶୀଳ ହୁଅନ୍ତୁ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ମହାପାତ୍ରଙ୍କ ଅଭିଯୋଗ ପରେ ଇଣ୍ଡିଗୋ ଏୟାର ଲାଇନ୍ସ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । ବିମାନ ସଂସ୍ଥା ଘଟଣା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବା ସହ PNR, ଯୋଗାଯୋଗ ନମ୍ବର ଓ ଯାତ୍ରା ସମ୍ପର୍କିତ ଅନ୍ୟ ସୂଚନା ପ୍ରଦାନ କରିବାକୁ ସୃତି ମହାପାତ୍ରଙ୍କୁ ଅନୁରୋଧ ମଧ୍ୟ କରିଛି ।

ଭିନ୍ନକ୍ଷମ ସଶକ୍ତିକରଣରେ ଉଲ୍ଲେଖନୀୟ ଅବଦାନ ଥିବା ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାଭିମାନ’ର ପ୍ରତିଷ୍ଠାତା ମୁଖ୍ୟ ସୃତି ମହାପାତ୍ରଙ୍କୁ ଚଳିତ ବର୍ଷ ମାର୍ଚ୍ଚ 8 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନାରୀ ଶକ୍ତି ସମ୍ମାନ’ ରେ ସମ୍ମାନିତ ମଧ୍ୟ କରିଥିଲେ । ଦୁର୍ଘଟଣା ବଶତଃ ଭିନ୍ନକ୍ଷମ ହୋଇଥିବା ଡ. ସୃତି ମହାପାତ୍ର ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ଦୀର୍ଘ ବର୍ଷ ଧରି ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ଜଣେ ଜଣାଶୁଣା ଚେହେରା ।

ସେପଟେ ବିମାନ ଅଧିକାରୀଙ୍କ ଏପରି ବ୍ୟବହାର କୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।