ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାକୁ ଲାଗିଛି | ଗତ ଶୁକ୍ରବାର ମୁଣ୍ଡକାରେ ଏକ ବିଲଡିଂରେ ନିଆଁ ଲାଗି ପ୍ରାୟ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ଲୋକଙ୍କ ମନ ମଧ୍ୟରେ ଭୟ ଯାଇ ନଥିବା ବେଳେ, ମାତ୍ର ୩ ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଲାଗିଲା ଭୟଙ୍କର ନିଆଁ |

ନରେଲାସ ଶିଳ୍ପାଞ୍ଚଳ ସ୍ଥିତ ଏକ ଚପଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ୯ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଗତ ଶୁକ୍ରବାର ମୁଣ୍ଡକାରେ ଏକ ବିଲଡିଂରେ ନିଆଁ ଲାଗି ପ୍ରାୟ ୨୭ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ସାରା ଦେଶରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ଦେଖାଦେଇଥିଲା ତତ୍ପରତା । ଏହି ଅଗ୍ନିକାଣ୍ଡର ୩ ଦିନ ପରେ ଏବେ ପୁଣି ନରେଲା ଶିଳ୍ପାଞ୍ଚଳରେ ନିଆଁ ଲାଗିଛି ।

ଗତ ଶନିବାର ମଧ୍ୟ ଦିଲ୍ଲୀର ନରେଲାସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭା କାମରେ ପ୍ରଥମେ ୧୨ଟି ଦମକଳ ନିୟୋଜିତ ହୋଇଥିଲେ । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଏତିକି ଦମକଳ ଟିମ୍‌ ତାକୁ ଆୟତ୍ତ କରିବାରେ ଫେଲ୍‌ ମାରିଥିଲେ । ଏହାପରେ ଏଥିନିମନ୍ତେ ପ୍ରାୟ ୨୭ରୁ ୨୯ଟି ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲା |