ୱାଶିଂଟନ: ଗତ କିଛି ଦିନ ହେଲା ଅସ୍ଥିର ହୋଇପଡିଛି ଆମେରିକା | ଆମେରିକାରେ ଅନେକ ସ୍ଥାନରେ ଅନେକ ଅଜଣା ଯୁବକଙ୍କ ଗୁଳି ମାଡ ଘଟଣା ସାମ୍ନାକୁ ଆସୁଛି | ତେବେ ଏହାରି ମଧ୍ୟରେ ଏକ ସର୍ଭେ ରିପୋର୍ଟ ସମସ୍ତଙ୍କୁ ଚକିତ କରି ଦେଇଛି | ସେନାଠାରୁ ଲୋକଙ୍କ ପାଖରେ ୧୦୦ ଗୁଣା ଅଧିକ ବନ୍ଧୁକ ରହିଛି।

ବିଶ୍ୱବ୍ୟାଙ୍କ ମୁତାବକ, ୨୦୨୦ ମସିହାରେ ଆମେରିକାର ଲୋକସଂଖ୍ୟା ଆନୁମାନିକ ୩୩ କୋଟି ଥିଲା। ସ୍ମଲ ଆର୍ମସ ସର୍ଭେ ମୁତାବକ ଏଠାରେ ଅନୁମାନିକ ୪୦ କୋଟି ବନ୍ଧୁକ ରହିଛି। ତେଣୁ ଆମେରିକାର ଲୋକସଂଖ୍ୟା ଠାରୁ ଏଠାରେ ବନ୍ଧୁକ ଅଧିକ ରହିଥିବା ସ୍ପଷ୍ଟ ହୋଇଛି।

ସୁଇଜରଲ୍ୟାଣ୍ଡ ପକ୍ଷରୁ ସ୍ମଲ ଆର୍ମସ ନେଇ ହୋଇଥିବା ଏକ ସର୍ଭେରେ ଦୁନିଆରେ ୮୫.୭୩ କୋଟି ବନ୍ଧୁକ କିମ୍ବା ରାଇଫେଲ ରହିଛି। ଏହା ଭିତରୁ ୩୯.୩୩ କୋଟିରୁ ଅଧିକ ବନ୍ଧୁକ କିମ୍ବା ରାଇଫେଲ ଆମେରିକା ପାଖରେ ରହିଛି। ଅମେରିକାର ପ୍ରତି ୧୦୦ ଲୋକରେ ୧୨୧ଟି ବନ୍ଧୁକ ବ୍ୟବହାର ହେଉଛି। ଏଠାରେ ଯେତିକି ବନ୍ଧୁକ କିମ୍ବା ରାଇଫେଲ ରହିଛି ସେହି ପରିମାଣର ବନ୍ଧୁକ କିମ୍ବା ରାଇଫେଲ ସେଠାର ସେନା କିମ୍ବା ପୁଲିସ ପାଖରେ ମଧ୍ୟ ନାହିଁ। ଆମେରିକାର ସେନା ପାଖରେ ଏବେ ୪୫ ଲକ୍ଷ ଏବଂ ପୁଲିସ ପାଖରେ ୧୦ ଲକ୍ଷ ବନ୍ଧୁକ କିମ୍ବା ରାଇଫେଲ ରହିଛି। ତେଣୁ ଆମେରିକା ସେନା ଠାରୁ ୧୦୦ ଗୁଣା ଅଧିକ ଓ ପୁଲିସ ଠାରୁ ୪୦୦ ଗୁଣା ବନ୍ଧୁକ କିମ୍ବା ରାଇଫେଲ ଏଠାର ସାଧାରଣ ଲୋକଙ୍କ ପାଖରେ ଥିବା ରିପୋର୍ଟ ପ୍ରକାଶ ପାଇଛି।

ଏଠାରେ ଗନ ମାଫିଆଙ୍କ ଆଗରେ ସରକାର ଏକପ୍ରକାର ଅଚଳ ହୋଇଯାଇଛି। ଯାହାକୁ ନେଇ ଏଠାରେ ବନ୍ଧୁକ ରଖିବା ଓ ବ୍ୟବହାର ସଂସ୍କୃତି ପୁଣି ଧିରେ ଧିରେ ବଢ଼ିବାରେ ଲାଗିଛି। ଟେକସାସରେ ୧୮ ବର୍ଷର ଜଣେ କିଶୋର ଆକ୍ରମଣକାରୀ ଏକ ସ୍କୁଲରେ ପଶି ଆଖିବୁଜା ଗୁଳି ଚଳାଇବା ଘଟଣା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରାୟ ୨୩ ଜଣଙ୍କ ଜୀବନ ଯାଇଛି।

ଭାରତରେ ଲୋକେ ପରିବା ବଜାରକୁ ଯାଇ ଘରକୁ ପରିବା କିଣି ଆଣିବା ଭଳି ଆମେରିକାରେ ଲୋକେ ବଜାର ଯାଇ ଠିକ୍ ଏହି ପ୍ରକାର ବନ୍ଧୁକ ନେଇ ଚାଲି ଆସୁଛନ୍ତି। ଲୋକଙ୍କୁ ନିଜ ପସନ୍ଦର ବନ୍ଧୁକ କିଣିବାରେ କୌଣସି ପ୍ରକାର ଅସୁବିଧା ହେଉନି। ଭାରତରେ ଖାଦ୍ୟ ସାମଗ୍ରୀ କିଣିବା ଯେପରି ସହଜ, ଅମେରିକାରେ ବନ୍ଧୁକ କିଣିବା ସେହିପରି ସହଜ ହୋଇଯାଇଛି।