ହାଇଦ୍ରାବାଦ: ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ମନ୍ତ୍ରୀ ମଲ୍ଲା ରେଡ୍ଡୀଙ୍କ କାର୍‌ ଉପରକୁ ‌ଜୋତା, ଚେୟାର୍‌, ପାଣି ବୋତଲ ମାଡ଼ । ରବିବାର ଦିନ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ସରକାରଙ୍କୁ ପ୍ରଶଂସା କରିବା ନେଇ ଉତ୍‌କ୍ଷିପ୍ତ ଜନତା ‌ଜୋତା, ଚେୟାର୍‌, ପାଣି ବୋତଲ ଆଦି ଫିଙ୍ଗିଥିଲେ ।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ତେଲେଙ୍ଗାନାରେ ମେଦଚଳ ଜିଲ୍ଲାର ଘଟକେଶ୍ବରରେ ଅଣରାଜନୈତିକ ଜାତି ସଙ୍ଗଠନଦ୍ବାରା ଆୟୋଜିତ କେତେଗୁଡ଼ିଏ ଶିକ୍ଷା ପ୍ରତିଷ୍ଠାନ ଚଳାଉଥିବା ମଲ୍ଲା ରେଡ୍ଡୀ ‘ରେଡ୍ଡୀ ସିଂହ ଗର୍ଜନ’ରେ ଅଂଶ ଗ୍ରହଣ କରିଥିଲେ।

ଶ୍ରମ ଏବଂ କର୍ମ ସଂସ୍ଥାନ ବିଭାଗ ଚଳାଉଥିବା ମନ୍ତ୍ରୀ ମଲ୍ଲା ରେଡ୍ଡୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ ଏବଂ ‘ଟିଆର୍‌ଏସ୍‌’ ନେତୃତ୍ବାଧୀନ ସରକାରଙ୍କୁ ପ୍ରଶଂସା କରିବାରୁ ସମବେତ ଜନତା ଉତ୍‌କ୍ଷିପ୍ତ ହୋଇଥିଲେ।

ସଭାରେ ଭାଷଣ ଦେବା ବେଳେ ରେଡ୍ଡୀ କହିଥିଲେ, ପୁଣି ଥରେ ତେଲେଙ୍ଗାନାରେ ‘ଟିଆର୍‌ଏସ୍‌’ କ୍ଷମତାସୀନ ହେବ। ଭାଷଣରେ ସେ ବାରମ୍ବାର ‘ଟିଆର୍‌ଏସ୍‌’ ଏବଂ ମୁଖ୍ୟମନ୍ତ୍ରୀଙ୍କ କଥା କହିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ‘ମଲ୍ଲା ରେଡ୍ଡୀ ଡାଉନ୍‌ ଡାଉନ୍‌’ ସ୍ଲୋଗାନ୍‌ ଦେଇଥିଲେ। ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ସେମାନେ ଉପରକୁ ଚେୟାର୍‌ ସବୁ ଉଠାଇ ଧରିବା ସହ ମଲ୍ଲା ରେଡ୍ଡୀଙ୍କ ଆଡ଼କୁ ଚପଲ ଓ ଟେକା ପକାଇବା ଆରମ୍ଭ କରିଥିଲେ।

ଅବିଳମ୍ବେ ଶ୍ରୋତାମ‌ାନେ ବାଧା ଦେଇ ଗୋଳମାଳ କରିବାରୁ ସେ ଡାଏସ୍‌ ଛାଡ଼ି ଚାଲିଯାଇଥିଲେ।

ପରେ ପରେ ମନ୍ତ୍ରୀ ମଲ୍ଲା ରେଡ୍ଡୀ ଯାଉଥିବା କାର୍‌ ଉପରକୁ ଉତ୍ତ୍ୟକ୍ତ ପାଣି ବୋତଲ, ଟେକା ଏବଂ ଚେୟାର୍‌ ଆଦି ଫିଙ୍ଗିଥିଲେ।