ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ସିଦ୍ଧୁଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌

ଚଣ୍ଡୀଗଡ଼: ଦୁର୍ବୁତଙ୍କ ଗୁଳିମାଡରେ ଆଖି ବୁଜିଥିବା ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ସିଦ୍ଧୁ ଓରଫ୍‌ ସିଦ୍ଧୁ ମୁସେୱାଲ୍‌ଙ୍କ ପରିବାରକୁ ଭେଟିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ | ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଭେଟିବା ସହ ଶୋକବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ଗସ୍ତ ନିମନ୍ତେ ନିହତ ଗାୟକ-ରାଜନେତା ମୁସେଙ୍କ ବାସଭବନ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ରବିବାର ଦିନ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

ଆଜି ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ପୂର୍ବରୁ ‘ଆପ୍‌’ ବିଧାୟକ ଗୁରପ୍ରୀତ ସିଂହ ବନାୱାଲି ମୁସେୱାଲାଙ୍କ ଘରକୁ ଯାଇଥିବା ବେଳେ ଗ୍ରାମବାସୀମାନଙ୍କ ପ୍ରତିବାଦ ପ୍ରଦର୍ଶନ କରି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ପ୍ରତିବାଦକାରୀମାନେ ତାଙ୍କୁ ଘେରିଯାଇ ମୁସେୱାଲ୍‌ଙ୍କ ଘରକୁ ନ ଛାଡ଼ିବା ସହ ‘ଆମ୍‌ ଆଦ୍‌ମୀ ପାର୍ଟି ମୁର୍ଦାବାଦ୍‌’ ଏବଂ ‘ଆମ୍‌ ଆଦ୍‌ମୀ ପାର୍ଟି ନେ ମାରା ଥା’ ଆଦି ସ୍ଲୋଗାନ୍‌ ଦେଇଥିଲେ।

ସର୍ଦୁଲ୍‌ଗଡ଼ ବିଧାୟକ ଗୁରପ୍ରୀତ ସିଂହ ବନାୱାଲି ଯେତେ ଅନୁରୋଧ କଲେ ବି ଲୋକେ ଶୁଣି ନ ଥିଲେ। ଶେଷରେ ସେ ଫେରିଆସିବାକୁ ବାଧ୍ୟ ହୋଇଥିଲେ।

ବନୱାଲି ଫେରି ଆସିବା ପରେ ପରେ ‘ଏସ୍‌ଏସ୍‌ପି’ ଗୌରବ ତୂରାଙ୍କ ସମେତ ପଞ୍ଜାବ ପୁଲିସର ବରିଷ୍ଠ ଅଧିକାରୀମାନେ ମୁସେୱାଲାଙ୍କ ବାସଭବନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଥିଲେ।

Related Posts