ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତର ମନ୍ତରରେ ଏକ ଜନ ବିରୋଧ ସମାବେଶକୁ ସମ୍ବୋଧିତ କରିଥିବାର ଦେଖିବାକୁ ମିଳିଛି । କେଜ୍ରିୱାଲ କହିଛନ୍ତି ଯେ କାଶ୍ମୀରରେ ୧୯୯୦ ମସିହାରେ ହୋଇଥିବା ନରସଂହାରକୁ ପୁଣିଥରେ ପୁନରାବୃତ୍ତି କରାଯାଉଛି । ହେଲେ କେନ୍ଦ୍ର ସରକାର କାଶ୍ମୀର ପଣ୍ଡିତଙ୍କ ଜୀବନ ରକ୍ଷା କରିବାରେ ଅସଫଳ ବୋଲି ପ୍ରମାଣ କରୁଛନ୍ତି। ଯାହା ଫଳରେ କାଶ୍ମୀରୀ ପଣ୍ଡିତମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଛନ୍ତି। ଆଜି କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାରେ ସମଗ୍ର ଦେଶ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି। ସେପଟେ କାଶ୍ମୀରରେ ନିହତ ହୋଇଥିବା ସାଧାରଣ ନାଗରିକ ଏବଂ ସହିଦ ସୌନିକମାନଙ୍କ ଆତ୍ମାକୁ ଶାନ୍ତି ପାଇଁ କେଜ୍ରିୱାଲ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହା ସହ ସିଏମ କେଜ୍ରିୱାଲ କହିଛନ୍ତି ଯେ ଆଜି କାଶ୍ମୀରୀ ପଣ୍ଡିତମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଛନ୍ତି। କାରଣ ସେମାନେ ଭୟଭୀତ ଅଛନ୍ତି ଏବଂ ବିଜେପି ସରକାରଙ୍କଠାରୁ ନିଜ ପାଇଁ ସୁରକ୍ଷା ଦାବି କରୁଛନ୍ତି। କିନ୍ତୁ ବିଜେପି ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ ନୁହଁନ୍ତି ଆଜି କାଶ୍ମୀରରେ ୧୯୯୦ ର ଯୁଗ ପୁଣି ଆସିଛି। କାଶ୍ମୀରୀ ପଣ୍ଡିତଙ୍କ ଜୀବନ ରକ୍ଷା କରିବାକୁ ବିଜେପି ସରକାରଙ୍କ କୌଣସି ଯୋଜନା ନାହିଁ। ଆମ୍ ଆଦମୀ ପାର୍ଟି ସେମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଏବଂ ସେମାନଙ୍କ ସହିତ ଅଛନ୍ତି । ଅନ୍ୟପଟେ ଉପତ୍ୟକାରେ ହତ୍ୟାକାଣ୍ଡ ପରେ ଗୃହମନ୍ତ୍ରୀ ଏକ ବୈଠକ ଡାକିଥିଲେ। ଏନେଇ କେଜ୍ରିୱାଲ କହିଛନ୍ତି ଯେ ଗୃହମନ୍ତ୍ରୀ, ଆପଣ ଅନେକ ସଭା କରିଛନ୍ତି, ବର୍ତ୍ତମାନ କିଛି କାର୍ଯ୍ୟ ଦେଖାନ୍ତୁ ।





