ଦିଲ୍ଲୀ ମହାନଗର ନିଗମକୁ ୧୨ଟି ଜୋନରେ ବିଭକ୍ତ କଲା ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)କୁ ୧୨ଟି ଜୋନରେ ବିଭକ୍ତ କରିଛି ଆପ୍‌ । କାଉନସିଲର ମାନଙ୍କ ସହ ସମନ୍ବୟ ରକ୍ଷା ପାଇଁ ୪ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ଆପ୍‌ ନିଯୁକ୍ତି ଦେଇଛି । ଏହି ଚାରି ନେତା ନିଜ ଜୋନ୍‌ର କାଉନସିଲରମାନଙ୍କ ସହ ବୈଠକ କରିବେ ଏବଂ ସ୍ଥାନୀୟ ଅଞ୍ଚଳର ସମସ୍ୟା ବୁଝିବା ପାଇଁ ଅଞ୍ଚଳ ପରିଦର୍ଶନ କରିବେ।

ଏହି ୧୨ଟି ଜୋନ୍ ହେଉଛି, ସିଭିଲ୍ ଲାଇନ୍, ରୋହିଣୀ, ନାଜାଫଗଡ, ନରେଲା, କେଶବପୁରମ୍, ପଶ୍ଚିମ ଜୋନ୍, ସଦର, କରୋଲ ବାଗ, ଶାହଦରା ଉତ୍ତର, ମଧ୍ୟ, ଦକ୍ଷିଣ ଏବଂ ଶାହାଦରା ଦକ୍ଷିଣ ବୋଲି ଶନିବାର ପ୍ରକାଶ ପାଇଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଆପ୍‌ ନେତା ଆଦିଲ ଖାନ ସିଭିଲ ଲାଇନ୍ସ, ରୋହିଣୀ ଏବଂ ନଜାଫଗଡର ଦାୟିତ୍ୱରେ ଥିବାବେଳେ ସୌରଭ ଭରଦ୍ୱାଜ ନରେଲା, କେଶବପୁରମ୍ ଏବଂ ପଶ୍ଚିମ ଜୋନର ତଦାରଖ କରିବେ। ସଦର, କରୋଲ ବାଗ ଏବଂ ଶାହଦରା ଉତ୍ତରର ଦାୟିତ୍ବ ଦୁର୍ଗେଶ ପାଠକ ଏବଂ କେନ୍ଦ୍ରୀୟ, ଦକ୍ଷିଣ ଏବଂ ଶାହଦରା ଦକ୍ଷିଣ ଅତିଶିଙ୍କ ଦାୟିତ୍ବରେ ରହିବ ବୋଲି ଏଥିରେ କୁହାଯାଇଛି।

ସମସ୍ତ କାଉନସିଲର ଏହି ଚାରିଜଣ ବରିଷ୍ଠ ନେତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିବେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମ୍ୟୁନିସିପାଲ ନିର୍ବାଚନରେ ଆପ୍‌ ବିପୁଳ ବିଜୟ ହାସଲ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ୨୫୦ ୱାର୍ଡରୁ ୧୩୪ଟି ୱାର୍ଡରେ ବିଜୟ ହାସଲ କରିଥିବାବେଳେ ବିଜେପି ୧୦୪ଟି ଆସନ ଜିତିଛି ।

Related Posts