ଦିନକ ତଳେ ଆପ୍‌ରେ ମିଶିଥିବା ଦିଲ୍ଲୀ କଂଗ୍ରେସ ଉପ ସଭାପତି ମାରିଲେ ୟୁ-ଟର୍ଣ୍ଣ, ପୁଣି କଂଗ୍ରେସରେ ମିଶିଥିବା ନେଇ ଦେଲେ ସୂଚନା

ନୂଆଦିଲ୍ଲୀ: ମୋର ଭୁଲ ହେଇଯାଇଛି । ମୁଁ ରାହୁଲ ଗାନ୍ଧିଙ୍କ ଜଣେ କାର୍ଯ୍ୟକର୍ତ୍ତା । ଭିଡିଓ ଜାରି ମେହଦି କହିଛନ୍ତି କଂଗ୍ରେସକୁ ଫେରିଥିବା କହିଛନ୍ତି । ଦିନକ ତଳେ ଆପ୍‌ରେ ମିଶିଥିବା ଦିଲ୍ଲୀ କଂଗ୍ରେସ ଉପ ସଭାପତି ଅଲୀ ମେହଦି ୟୁ-ଟର୍ଣ୍ଣ ନେଇଛନ୍ତି। ସେ ରାତି ପ୍ରାୟ ୨ଟା ବେଳେ ଗୋଟିଏ ଭିଡିଓ ଜାରି କରି ପୁଣି କଂଗ୍ରେସରେ ମିଶିଥିବା ସୂଚନା ଦେଇଛନ୍ତି। ଏଥିସହ ଆପ୍‌ରେ ସାମିଲ ହୋଇ ସେ ବହୁତ ବଡ଼ ଭୁଲ କରି ଦେଇଥିବା କହି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏହାବାଦ ସେ ନିଜକୁ ରାହୁଲ ଗାନ୍ଧିଙ୍କ ଜଣେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ କହିଛନ୍ତି।

ରାତି ପ୍ରାୟ ୧.୨୫ ମେହଦି ଜାରି କରିଥିବା ଭିଡିଓରେ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଭିଡିଓ ସେ ରାତି ୨.୦୩ରେ ପୋଷ୍ଟ କରିଛନ୍ତି।

ଭିଡିଓ ଜାରି କରି ସେ କହିଛନ୍ତି ଯେ “ମୁଁ ବହୁ ବଡ଼ ଭୁଲ କରିଦେଇଛି। ମୋ ବାପା ଦୀର୍ଘ ୪୦ ବର୍ଷ ହେଲା କଂଗ୍ରେସରେ ରହିଛନ୍ତି। ମୁଁ ମଧ୍ୟ କଂଗ୍ରେସରେ ରହିଛି। କାଉନସିଲର ନାଜିଆ ଖାତୁନ, କାନସିଲର ସାବିଲା ବେଗମ ଓ ଆମ ବ୍ଲକ ସଭାପତି ଅଲୀମ ଅନସାରୀ ଯିଏ ୩୦୦ ଭୋଟରେ ହାରିଥିଲେ ସେ ମଧ୍ୟ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି। ଆମେ ସମସ୍ତେ କଂଗ୍ରେସରେ ଥିଲୁ, ଅଛୁ ଓ ରହିବୁ। ଆମେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର କାର୍ଯ୍ୟକର୍ତ୍ତା। ରହୁଲ ଗାନ୍ଧି ଜିନ୍ଦାବାଦ।”

ଏହି ଭିଡିଓରେ ମେହଦିଙ୍କ ସହ ଆଉ ୩ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆପ୍‌ ତାଙ୍କୁ ନିଜ ସହ ସାମିଲ ହେବାକୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ମେହଦି ଆପରେ ମିଶିବାରୁ ତାଙ୍କୁ କଂଗ୍ରେସ ନେତାମାନେ ସମାଲୋଚନା କରିଥିଲେ।

ଭାରତୀୟ ଯୁବ କଂଗ୍ରେସର ସୋଶାଲ ମିଡିଆ ଇନଚାର୍ଜ ମନୁ ଜୈନ ସିଧାସଳଖ ମେହଦିଙ୍କୁ ସାପ ବୋଲି କହିବା ସହ ଦଳ ବଦଳ ପାଇଁ ସେ କେତେ ଟଙ୍କା ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ସମାଲୋଚନା ପରେ ମେହଦି ଭିଡିଓ ଜାରି କରି ୟୁ-ଟର୍ଣ୍ଣ ନେଇଛନ୍ତି। ଏଥିସହ ଅନ୍ୟ ଘର ବାହୁଡ଼ା କଂଗ୍ରେସ କାଉନସିଲର ଓ ନେତାମାନଙ୍କୁ ସମାନ ଢଙ୍ଗରେ ଭିଡିଓ ଜାରି କରିବାକୁ କହିଛନ୍ତି ।

Related Posts