ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୈଗମ୍ୱର ମହମ୍ମଦଙ୍କୁ ନେଇ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହାରି ଭିତରେ ରବିବାର ଭାରତୀୟ ଜନତା ପାର୍ଟି ବିବାଦୀୟ ବୟାନଠାରୁ ନିଜକୁ ଦୂରେଇ ରଖିଛି। ଦଳ କହିଛି, ବିଜେପି ସବୁ ଧର୍ମକୁ ସମ୍ମାନ କରୁଛି। ଦଳ ପକ୍ଷରୁ ଜାରି ଏକ ବୟାନ ଅନୁସାରେ, ଭାରତୀୟ ଜନତା ପାର୍ଟି ସବୁ ଧର୍ମକୁ ସମ୍ମାନ କରେ। ଦଳ ଯେକୌଣସି ଧର୍ମର ବ୍ୟକ୍ତିର ଅପମାନକୁ କଡା ନିନ୍ଦା କରୁଛି।
ତେବେ ପାର୍ଟି ନିଜର ବୟାନରେ ନୁପୁର ଶର୍ମାଙ୍କ କଥା ଉଲ୍ଲେଖ କରିନାହିଁ। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ବିଜେପି ସର୍ବପନ୍ଥ ସମଭାବରେ ବିଶ୍ୱାସ କରେ। ଯେକୌଣସି ଧର୍ମର ପୂଜନୀୟଙ୍କ ଅପମାନ ଗ୍ରହଣଯୋଗ୍ୟ ନୁହେଁ। ବିଜେପି ଏପରି କୌଣସି ଚିନ୍ତାଧାରାକୁ ଗ୍ରହଣ କିମ୍ୱା ପ୍ରୋତ୍ସାହିତ କରେ ନାହିଁ। ଦେଶର ସମ୍ୱିଧାନ ମଧ୍ୟ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସବୁ ଧର୍ମକୁ ସମ୍ମାନ କରିବା କଥା କହୁଛି। ଆମକୁ ଦେଶର ଏକତା, ଅଖଣ୍ଡତା ଏବଂ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜରୁରୀ ବୋଲି କହିଛନ୍ତି ।





